କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ୪% ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି

566
ADVERTISEMENT

• ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ
• ଉପକୃତ ହେବେ ୪୮.୩୪ ଲକ୍ଷ କର୍ମଚାରୀ ଓ ୬୫.୨୬ ଲକ୍ଷ ପେନସନଭୋଗୀ

ନୂଆଦିଲ୍ଲୀ, ୧୪/୦୩ (ଡ଼ିଏଚ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି । କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଦର ସହାୟତା (ଡିଏଲ)ରେ ଏହି ବୃଦ୍ଧି ଗତ ଜାନୁଆରୀ ପହିଲା ଠାରୁ ପିଛିଲା ଭାବେ ଲାଗୁ ହେବ । ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ବର୍ତ୍ତମାନର ୧୭ ପ୍ରତିଶତ ମହଙ୍ଗା ଭତ୍ତାରେ ଆହୁରି ୪ ପ୍ରତିଶତ ବୃଦ୍ଧି ପାଇଁ କ୍ୟାବିନେଟ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଡିଏ ଓ ଡିଏଲରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ ୧୨,୫୧୦.୦୪ କୋଟି ଟଙ୍କାର ଆର୍ଥିକ ବୋଝ ପଡ଼ିବ ଏବଂ ୨୦୨୦-୨୧ ବର୍ଷରେ ଏଥିପାଇଁ ମୋଟ ୧୪,୫୯୫.୦୪ କୋଟି ଟଙ୍କା ବ୍ୟୟ କରାଯିବ (ଜାନୁଆରୀ, ୨୦୨୦ ଠାରୁ ଫେବୃଆରୀ, ୨୦୨୧ ପର୍ୟ୍ୟନ୍ତ ୧୪ ମାସର ଅବଧି ଲାଗି) । ଏହାଦ୍ୱାରା ୪୮.୩୪ ଲକ୍ଷ କର୍ମଚାରୀ ଏବଂ ୬୫.୨୬ ଲକ୍ଷ ପେନସନଭୋଗୀ ଲାଭାନ୍ୱିତ ହେବେ । ଏହି ବୃଦ୍ଧି ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ଅନୁମୋଦିତ ନିୟମ ଅନୁଯାୟୀ କରାଯାଇଛି ।

Advertisement