ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

243
PC:SME Street
ADVERTISEMENT

ନୂଆଦିଲ୍ଲୀ, ୨୪/୨(ଡ଼ିଏଚ) : ନୂଆଦିଲ୍ଲୀ ଠାରେ ଅନ୍ତର୍ଜାତୀୟ ନ୍ୟାୟିକ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସୁପ୍ରିମକୋର୍ଟ ଓ ହାଇକୋର୍ଟର ସମ୍ମାନିତ ବିଚାରପତି ବୃନ୍ଦ, ବିଶିଷ୍ଟ ଆଇନଜୀବୀମାନେ ଓ ବିଦେଶାଗତ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଭାଗ ନେଇଥିଲେ ।

ବିଶ୍ୱର କୋଟି କୋଟି ନାଗରିକଙ୍କ ଆସ୍ଥା ଓ ବିଶ୍ୱାସ ସୁନିଶ୍ଚିତ କରୁଥିବା ନ୍ୟାୟ ବ୍ୟବସ୍ଥାର ଏହି ସମ୍ମିଳନୀରେ ଉପସ୍ଥିତ ହୋଇ ପାରିଥିବାରୁ ଖୁସି ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ସମ୍ମିଳନୀଟି ଏକବିଂଶ ଶତାବ୍ଦୀର ତୃତୀୟ ଦଶନ୍ଧି ଆରମ୍ଭରୁ ପାଳିତ ହେଉଛି ।

ଏହି ଦଶନ୍ଧିରେ କେବଳ ଭାରତ ନୁହେଁ ବିଶ୍ୱରେ ଦ୍ରୁତ ପରିବର୍ତ୍ତନ ହେବାକୁ ଯାଉଛି । ସାମାଜିକ, ଅର୍ଥନୈତିକ ଓ ପ୍ରଯୁକ୍ତି କ୍ଷେତ୍ରରେ ଏସବୁ ପରିବର୍ତ୍ତନ ହେବ । ତେବେ ଏହା ତର୍କ ଓ ନ୍ୟାୟ ସଙ୍ଗତ ହେବା ଉଚିତ । ତେଣୁ ସମ୍ମିଳନୀର ଶୀର୍ଷକ ‘ନ୍ୟାୟତନ୍ତ୍ର ଓ ବଦଳୁଥିବା ବିଶ୍ୱ’ ଯଥାର୍ଥ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ।

ଜାତିର ପିତା ମହାତ୍ମାଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଦେଶ ପାଳୁଥିବା ଅବସରରେ ଏହି ସମ୍ମିଳନୀ ଅନୁଷ୍ଠିତ ହେଉଛି । ମାମଲା ପାଇବାକୁ କମିଶନ ଦେବାକୁ ପଡ଼ିବାରୁ ମହାତ୍ମା କିପରି ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ତାହା ମନେ ପକାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଧୁତା ଓ ସେବା ଉପରେ ମହାତ୍ମାଙ୍କ ବିଶ୍ୱାସ ତାଙ୍କ ଲାଳନପାଳନ ତଥା ଭାରତୀୟ ପରମ୍ପରା ଓ ସଂସ୍କୃତି ଅଧ୍ୟୟନରୁ ଆସିଥିଲା ।

ଆଇନ ରାଜାଙ୍କ ରାଜା, ଆଇନ ସର୍ବୋପରି ବୋଲି ଥିବା ଧାରଣା ଉପରେ ଭାରତର ଦର୍ଶନ ପର୍ୟ୍ୟବସିତ ।

ଏହି ଦର୍ଶନକୁ ବିଶ୍ୱାସ କରି ସମସ୍ତ ୧୩୦ କୋଟି ଭାରତୀୟ ନିକଟରେ ନ୍ୟାୟପାଳିକା ପ୍ରଦାନ କରିଥିବା ରାୟକୁ ନୀରବ ଓ ଶାନ୍ତିପୂର୍ଣ୍ଣ ଭାବେ ଗ୍ରହଣ କରିଥିଲେ ।

ସମ୍ବିଧାନ କେବଳ ଆଇନଜୀବୀଙ୍କ ଦସ୍ତାବିଜ ନୁହେଁ, ଏହା ଜୀବନକୁ ଆଗେଇ ନେବାର ମାଧ୍ୟମ ଓ ଏହାର ଆଧାର ସବୁବେଳେ ବିଶ୍ୱାସ ବୋଲି ଡଃ ବି.ଆର. ଆମ୍ବେଦକରଙ୍କ ଉକ୍ତିର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଏହି ଭାବନାକୁ ଆମ ଦେଶର ଅଦାଲତଗୁଡ଼ିକ ଆଗେଇ ନେଇଛନ୍ତି ତଥା ବ୍ୟବସ୍ଥାପିକା ଓ କାର୍ୟ୍ୟପାଳିକା ଜୀବନ୍ତ ରଖିଛନ୍ତି ।

ପରସ୍ପରର ସୀମାକୁ ବୁଝି ସମସ୍ତ ଆହ୍ୱାନର ସମ୍ମୁଖୀନ ହୋଇ ଅନେକ ସମୟରେ ସମ୍ବିଧାନର ତିନିଟି ସ୍ତମ୍ଭ ଦେଶ ପାଇଁ ପ୍ରକୃତ ରାସ୍ତା ଖୋଜି ପାଇଥାନ୍ତି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତର ବିଭିନ୍ନ ସଂସ୍ଥାନ ଏହି ପରମ୍ପରାକୁ ମଜବୁତ କରିଛନ୍ତି ।

ଦେଶରୁ ପ୍ରାୟ ୧୫ଶହ ଅପ୍ରାସଙ୍ଗିକ ଆଇନ ଉଚ୍ଛେଦ ହୋଇଛି ଓ ସମାଜକୁ ମଜବୁତ କରିବା ପାଇଁ ଅନେକ ନୂତନ ଆଇନ ପ୍ରଣୟନ ହୋଇଛି ।

ଏହି ସମ୍ମିଳନୀରେ “ବିଶ୍ୱରେ ଲିଙ୍ଗଗତ ନ୍ୟାୟ” ଥିମ୍ ସାମିଲ କରା ଯାଇଥିବାରୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଥିଲେ । ଲିଙ୍ଗଗତ ନ୍ୟାୟ ବିନା ବିଶ୍ୱର କୌଣସି ଦେଶ, କୌଣସି ସମାଜ ପୂର୍ଣ୍ଣ ବିକଶିତ ହୋଇ ପାରିନାହିଁ କିମ୍ବା ନ୍ୟାୟ ପାଇ ପାରିନାହିଁ । ଲିଙ୍ଗଗତ ସମାନତା ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ଯଥା- ସେନାରେ ଝିଅମାନଙ୍କ ନିଯୁକ୍ତି, ଫାଇଟର ପାଇଲଟ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଓ ଖଣିଗୁଡ଼ିକରେ ରାତିରେ କାମ କରିବାର ସ୍ୱାଧୀନତା ଆଦି ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । କର୍ମଜୀବୀ ମହିଳାଙ୍କୁ ୨୬ ସପ୍ତାହ ସବୈତନିତ ଛୁଟି ପ୍ରଦାନ କରୁଥିବା ବିଶ୍ୱର କିଛି ଦେଶଙ୍କ ମଧ୍ୟରେ ଭାରତ ସାମିଲ ଥିବା ସମ୍ପର୍କରେ ସେ ଗୁରୁତ୍ୱାରୋପ କରିଥିଲେ ।

ଏହି ଅବସରରେ ସେ ପରିବେଶ ଓ ବିକାଶ ମଧ୍ୟରେ ସନ୍ତୁଳନ ବଜାୟ ରଖିବା ସହ ନିରନ୍ତର ଦିଗଦର୍ଶନ ଦେଉଥିବାରୁ ନ୍ୟାୟପାଳିକାକୁ ଧନ୍ୟବାଦ ଦେଇଥିଲେ । ଭିତ୍ତିଭୂମି ନିର୍ମାଣ ସହିତ ପରିବେଶ ରକ୍ଷା ହୋଇପାରିବ ବୋଲି ଭାରତ ଦେଖାଇ ଦେଇଛି ।

ତ୍ୱରିତ ନ୍ୟାୟ ପାଇଁ ପ୍ରଯୁକ୍ତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ସରକାର ଦେଶର ସମସ୍ତ ଅଦାଲତକୁ ଇ-କୋର୍ଟ ସମନ୍ୱିତ ମିଶନ ମୋଡ ପ୍ରକଳ୍ପରେ ଯୋଡିବାକୁ ପ୍ରୟାସ ଚାଲିଛି । ଜାତୀୟ ନ୍ୟାୟିକ ଡାଟା ଗ୍ରୀଡ ସ୍ଥାପନ ଦ୍ୱାରା ଅଦାଲତ ପ୍ରକ୍ରିୟା ସହଜ ହେବ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ମାନବୀୟ ବିବେକବୋଧର ସମନ୍ୱୟ ଭାରତର ନ୍ୟାୟ ପ୍ରକ୍ରିୟାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି ।

Advertisement