ପାରଳାଖେମୁଣ୍ଡି,୨୧।୨(ପ୍ରଭାତ କୁମାର ପାତ୍ର) : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ କେରାଣ୍ଡି ଗ୍ରାମ ପଞ୍ଚାୟତର ଅନେକ ସମସ୍ୟା ରହିଥିଲେ ମଧ୍ୟ ତାହା ସୁଧୁରିପାରିନାହିଁ। ପାରଳାଖେମୁଣ୍ଡି ଠାରୁ କଇଁପୁର-ତୁମ୍ବ ଗ୍ରାମ ଦେଇ ଘାଟି ବୁଲାଣିଆ ରାସ୍ତାରେ ଯିବାକୁ ପଡିଥାଏ। ଗତ ୨୦୧୮ ଅକ୍ଟୋବର ୧୦ ତାରିଖରେ ଭୟଙ୍କର ତିତିଲି ମହା ବାତ୍ୟା କେରାଣ୍ଡି ପଞ୍ଚାୟତରେ ପ୍ରବଳ କ୍ଷତି ଘଟାଇଥିବା। ତାକୁ ଦୃଷ୍ଟିରେ ରଖି ସେ ସମୟରେ ଏହି କ୍ଷତିଗ୍ରସ୍ତଙ୍କୁ ଭେଟିବା ପାଇଁ ବହୁ ରାଜ୍ୟସ୍ତରୀୟ ଅଧିକାରୀ ଗଜପତି ଜିଲ୍ଲା ଏବଂ ମୁଖ୍ୟତଃ ରାୟଗଡ ବ୍ଲକର ଏହି ସବୁ ପଞ୍ଚାୟତକୁ ଆସିଥିଲେ। ସେ ସମୟରେ ତରବରିଆ ଭାବେ କଇଁପୁର-ତୁମ୍ବ ରାସ୍ତାଟି କାର୍ଯ୍ୟ କରାଯାଇଥିଲା, ଯାହା ମାଟି ଢାଳି ଲୋକ ଦେଖାଣିଆ ଭାବେ କାର୍ଯ୍ୟଟିକୁ ସମାପ୍ତ କରାଯାଇଥିଲା। କାର୍ଯ୍ୟ ସମାପ୍ତ ହେବାର ମାତ୍ର କିଛି ଦିନ ପରେ ଉକ୍ତ ରାସ୍ତା ଦେଇ କେରାଣ୍ଡି ପଞ୍ଚାୟତକୁ ଯାତାୟତ କରିବା ଏକ ପ୍ରକାର ବିପଦକୁ ହାତେଇବା ଭଳି ମନେ ହୁଏ। ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ଯିବା ଏକ ଦୁରୂହ ବ୍ୟାପାର। ଦୁଇ ଚକିଆ ଯାନ ମଧ୍ୟ ଯିବା କଷ୍ଟକର ହୋଇପଡିଛି। ଗମନାଗମନ ସମସ୍ୟା ଯୋଗୁଁ କେରାଣ୍ଡି ପଞ୍ଚାୟତର ଓୟା, ବଡଅନ୍ତରସିଂ,ଲକିଡା ଇତ୍ୟାଦି ପ୍ରାୟ ୨୦ ଖଣ୍ଡ ଗ୍ରାମର ପ୍ରାୟ ଦୁଇ ହଜାରରୁ ଉର୍ଦ୍ଧ୍ଵ ଜନସଂଖ୍ୟା ପ୍ରଭାବିତ ହେଉଛନ୍ତି। ଖାଲି ସେତିକି ନୁହେଁ ଶିକ୍ଷା ଏବଂ ସ୍ବାସ୍ଥ୍ୟ ସେବାରୁ ମଧ୍ୟ ଦୂରରେ ରହୁଥିବା ଗ୍ରାମବାସୀ କହିଛନ୍ତି। କେରାଣ୍ଡି ଗ୍ରାମର ସରପଞ୍ଚ ରଘୁନାଥ ଶବର ଅଞ୍ଚଳଟି ଏକ ସୀମାନ୍ତବର୍ତ୍ତୀ ଅଞ୍ଚଳ ହୋଇଥିବା ଯୋଗୁଁ ପ୍ରଶାସନର ବିଶେଷ ଦୃଷ୍ଟି ପଡୁନାହିଁ ବୋଲି ସେ କହିଥିଲେ। ଦେଶ ସ୍ୱାଧୀନ ହେବାର ଦୀର୍ଘ ୭୦ ବର୍ଷ ପରେ ବିଭିନ୍ନ ଯୋଜନା ଉପରେ ଯୋଜନା ପ୍ରସ୍ତୁତ ହେଉଥିବା ବେଳେ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୫୬ କିଲୋମିଟର ଦୂରରେ ରହିଥିବା ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଗମନାଗମନର କୈାଣସି ଉଚିତ ସୁବିଧା ଯୋଗାଇ ଦିଆଯାଉ ନାହିଁ ବୋଲି ଅଞ୍ଚଳବାସୀ କହିଛନ୍ତି। ସେହିପରି ଏହି ପଞ୍ଚାୟତରେ ଆଜି ପର୍ଯ୍ୟନ୍ତ ଡାକଘରଟିଏ ମଧ୍ୟ ଖୋଲାଯାଇପାରୁନାହିଁ। ଏଠାର ଶିକ୍ଷା କହିଲେ ୧୯୬୨ ମସିହାରୁ ପ୍ରତିଷ୍ଠା ହୋଇଥିବା ଏକ ବିଦ୍ୟାଳୟ ରହିଛି ମାତ୍ର ତାହା ମଧ୍ୟ ଅବହେଳିତ ଅବସ୍ଥାରେ। ସେହିପରି ଏହି ଅଞ୍ଚଳରକୁ କାହାର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୁଏ ସେମାନେ ବାଧ୍ୟ ହୋଇ ସୀମାନ୍ତବର୍ତ୍ତୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲା ଅନ୍ତର୍ଗତ ୧୫ କିମି ଦୂରରେ ଥିବା ମଞ୍ଜୁଷା ଗ୍ରାମ କିମ୍ବା ପଲାସା ଗ୍ରାମକୁ ଅନେକ ସମୟରେ ରୋଗୀଙ୍କୁ ଖଟରେ ବୋହିନେଉଥିବା ମଧ୍ୟ କହିଛନ୍ତି। ତେବେ ଏହି ସବୁ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ଯଦି ଏହି ଅଞ୍ଚଳର ଉନ୍ନତି ସାଧାନପାଇଁ ଦୃଷ୍ଟି ନିକ୍ଷେପ କରନ୍ତା ଏହି ଅଞ୍ଚଳର ବିକାଶ ସମ୍ଭବ ହୋଇପାରନ୍ତା ବୋଲି ପଞ୍ଚାୟତି ବାସୀ ମାନେ କହିଛନ୍ତି। ତେବେ ରାଜ୍ୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ଏହି ପରି ଅଣଦେଖା କରାଯାଉଥିବା ଯୋଗୁଁ ଗ୍ରାମବାସୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ମୁହାଁ ହେବାକୁ ମନବଳାଉଥିବା ଜଣାଇଛନ୍ତି।