ନୁଆଦିଲ୍ଲୀ, ୧୪/୨(ଡିଏଚ) : ଭାରତ ଓ ଆଇସଲାଣ୍ଡ ମଧ୍ୟରେ ସ୍ଥାୟୀ ମତ୍ସ୍ୟଚାଷ ବିକାଶ କ୍ଷେତ୍ରରେ ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ) ସମ୍ପର୍କରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟକୁ ଅବଗତ କରାଯାଇଛି । ଏହି ଏମଓୟୁ ୧୦ ସେପ୍ଟେମ୍ବର, ୨୦୧୯ରେ ସ୍ୱାକ୍ଷରିତ ହୋଇଥିଲା ।
ଏମଓୟୁର ବୈଶିଷ୍ଟ୍ୟଗୁଡ଼ିକ ହେଲା :
• ଉପକୂଳ ଓ ଗଭୀର ସମୁଦ୍ରରେ ମାଛ ଧରାଯାଉଥିବା ସମଗ୍ର କ୍ଷେତ୍ରରେ ବୈଜ୍ଞାନିକ ଓ ବୈଷୟିକ ବିଶେଷଜ୍ଞଙ୍କ ବିନିମୟ, ବିଶେଷ କରି ଉପଯୁକ୍ତ ସ୍ଥାନରେ ସେମାନଙ୍କୁ ନିଯୁକ୍ତି ଦେବା ଲାଗି ସୁବିଧା କରିବା ।
• ଆଧୁନିକ ମତ୍ସ୍ୟଚାଷ ଏବଂ ମତ୍ସ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିଭିନ୍ନ ପରିଚାଳନା ବିଷୟରେ ଗୁରୁତ୍ୱପୂର୍ଣ୍ଣ ମତ୍ସ୍ୟପାଳନ ସଂସ୍ଥାନରୁ ମତ୍ସ୍ୟପାଳନ ପେସାଦାରମାନଙ୍କର ତାଲିମ ବ୍ୟବସ୍ଥା କରିବା ।
• ମତ୍ସ୍ୟପାଳନ କ୍ଷେତ୍ରରେ ବୈଜ୍ଞାନିକ ଗବେଷଣା ଓ ଅଧ୍ୟୟନରୁ ପ୍ରାପ୍ତ ସୂଚନା ଓ ଅନ୍ୟାନ୍ୟ ତଥ୍ୟ ବିନିମୟ କରିବା ।
• ବିଶେଷଜ୍ଞ ଏବଂ ବିଶେଷଜ୍ଞତାର ବିନିମୟ । ଉଦ୍ୟମିତା ବିକାଶ ଲାଗି ଗଭୀର ସମୁଦ୍ରରୁ ମିଳୁଥିବା ମତ୍ସ୍ୟଜାତୀୟ ଉତ୍ପାଦର ପ୍ରକ୍ରିୟାକରଣ ଏବଂ ବିପଣନ ବ୍ୟବସ୍ଥା ।
ଏହି ଏମଓୟୁ ଦ୍ୱାରା ଭାରତ ଓ ଆଇସଲାଣ୍ଡ ମଧ୍ୟରେ ରହିଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆହୁରି ସୁଦୃଢ଼ ହେବ । ମତ୍ସ୍ୟଚାଷ ଏବଂ ଦ୍ୱିପାକ୍ଷିକ କ୍ଷେତ୍ରରେ ପାରସ୍ପରିକ ପରାମର୍ଶ ଓ ସହଯୋଗ ବୃଦ୍ଧି ପାଇବ ।