ନୂଆଦିଲ୍ଲୀ, ୧୧ /୨(ଡିଏଚ) : ୨୦୧୭ରୁ ୨୦୧୯ ପର୍ୟ୍ୟନ୍ତ ତିନି ବର୍ଷ ଧରି ଦେଶରେ କ୍ରମାଗତ ଭାବେ ନକ୍ସଲ ହିଂସା ଘଟଣା ହ୍ରାସ ପାଇଛି । ଆଜି ଲୋକସଭାରେ ନକ୍ସଲ ହିଂସା ସକ୍ରାନ୍ତ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଏହା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଜି. କିଷନ ରେଡ୍ଡୀ ।
କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ ଯେ ବ୍ୟାପକ ଭାବେ ବାମପନ୍ଥୀ ଉଗ୍ରବାଦର ମୁକାବିଲା ଲାଗି ଭାରତ ସରକାର ଜାତୀୟ ନୀତି ଓ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛନ୍ତି । ଏଥିରେ ବହୁମୁଖୀ ଆଭିମୁଖ୍ୟ ଗ୍ରହଣ କରାଯାଇଛି ଯେପରିକି ସୁରକ୍ଷା କଡ଼ାକଡ଼ି କରିବା, ସ୍ଥାନୀୟ ସମୁଦାୟଙ୍କ ବିକାଶ ଓ ସେମାନଙ୍କ ଅଧିକାର ଓ ସୁବିଧା ସୁଯୋଗକୁ ସୁରକ୍ଷିତ ରଖିବା ଆଦି । ଏପରି ନୀତି ଗ୍ରହଣ କରାଯିବା ଫଳରେ ବାମପନ୍ଥୀ ଉଗ୍ରବାଦ ଘଟଣା ଏବଂ ନକ୍ସଲ ହିଂସା ପ୍ରବଣ କ୍ଷେତ୍ର ମଧ୍ୟ ନିୟମିତ ଭାବେ କମିବାରେ ଲାଗିଛି । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ୨୦୧୭ରେ ୯୦୮ଟି ନକ୍ସଲ ହିଂସା ଘଟଣା ଘଟିଥିଲା ।
ଏଥିରେ ୧୮୮ ଜଣ ସାଧାରଣ ନାଗରିକ ଓ ୭୫ ଜଣ ସୁରକ୍ଷାକର୍ମୀ ପ୍ରାଣ ହରାଇଥିବା ବେଳେ ୧୩୬ ଜଣ ନକ୍ସଲ ନିହତ ହେବା ସହିତ ୧୮୮୮ ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା । ୨୦୧୮ରେ ପୂର୍ବ ବର୍ଷ ଅପେକ୍ଷା କମ ଅର୍ଥାତ ୮୩୩ଟି ନକ୍ସଲ ହିଂସା ଘଟଣା ଘଟିଥିବା ବେଳେ ୧୭୩ ଜଣ ସାଧାରଣ ନାଗରିକ ଓ ୬୭ ଜଣ ସୁରକ୍ଷାକର୍ମୀଙ୍କ ପ୍ରାଣହାନି ଘଟିଥିଲା । ଏହି ବର୍ଷ ୨୨୫ ଜଣ ନକ୍ସଲ ନିହତ ହେବା ସହିତ ୧୯୩୩ ଜଣ ଗିରଫ ହୋଇଥିଲେ ।
୨୦୧୯ରେ ଘଟିଥିବା ୬୭୦ଟି ନକ୍ସଲ ହିଂସା ଘଟଣାରେ ୧୫୦ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ୫୨ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ । ଏହି ବର୍ଷ ୧୪୫ ଜଣ ନକ୍ସଲ ନିହତ ହେବା ସହ ୧୨୭୬ ଜଣ ଗିରଫ ହୋଇଥିଲେ ।