ମୟୂରଭଞ୍ଜ,୪।୨(ସୀତାରାମ ଦୀକ୍ଷିତ) : ସୁନ୍ଦର ତୃପ୍ତିର ଅବସାଦ ନାହିଁ, ଯେତେ ଦେଖୁଥିଲେ ନୁଆ ଦିଶୁଥାଇ। ସତରେ ଏ ଉକ୍ତିଟି ପ୍ରତିପାଦିତ ହୁଏ ସୌନ୍ଦର୍ଯ୍ୟର ଗନ୍ତାଘର ମୟୂରଭଞ୍ଜ ଜିଲ୍ଲାରେ। ସତେ ଯେପରି ପ୍ରକୃତିରାଣୀ ହାତ ଖୋଲି ସବୁ ପ୍ରକାର ସୌନ୍ଦର୍ଯ୍ୟତାକୁ ଢାଳିଦେଇଛି ଏ ଜିଲ୍ଲାରେ। ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ଏ ଜିଲ୍ଲାରେ ଯେତେ ବୁଲିଲେ ବି ଏହାର ସୁନ୍ଦରତାକୁ ଭାଷାରେ ପ୍ରତିପାଦିତ କରିବା ଅସମ୍ଭବ। ପିକନିକ୍ ଋତୁ ଆଗମନରେ ଭିଡ ଜମିଯାଏ ଏ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ମାନଙ୍କରେ। ରାଜାଙ୍କ ଅମଳରୁ ନିଜର କଳା-ସଂସ୍କୃତି ଏବଂ ପରମ୍ପରା ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇ ପାରିଛି। ଏ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳୀ ଗୁଡିକ ନିଜର ଅକୃତିମ ପ୍ରାକୃତିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ ପରିବେଶ ପାଇଁ ସମସ୍ତଙ୍କ ହୃଦୟରେ ଏକ ସ୍ବତନ୍ତ୍ରସ୍ଥାନ ନେଇ ପାରିଛି। ତେବେ ଏଠି ଆମେ କହୁଛୁ ଏ ଜିଲ୍ଲାରେ ଥିବା ଅନ୍ୟଏକ ପ୍ରସିଦ୍ଧ ତଥା ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ସମୀବୃକ୍ଷ କଥା। ତେବେ ଏହି ପର୍ଯ୍ୟଟନ ସ୍ଥଳୀ ନିକଟରେ ନିର୍ମାଣ ହୋଇଥିବା କାଳଡ୍ୟାମ୍ ଏହାର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ ତଥା ମନ ମୁଗ୍ଧକର କରି ତୋଳୁଛି। ଏକ ବୃକ୍ଷାକୃତିର ପାହାଡକୁ ନେଇ ରହିଛି କିଛି ବିଶ୍ବାସ। ଅନ୍ୟପଟେ କିମ୍ବଦନ୍ତୀ କହେ ପୌରାଣିକ ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ସମୟରେ ନିଜର ଅସ୍ତ୍ରଶସ୍ତ୍ର କୁ ସମୀବୃକ୍ଷ ଭିତରେ ଲୁଚାଇ ରଖିଥିଲେ। କ୍ରମେ ଉକ୍ତ ବୃକ୍ଷ ଏକ ପାହାଡରେ ପରିଣତ ହୋଇଛି, ଯାହା ଏବେ ସମୀବୃକ୍ଷ ପାହାଡ ନାମରେ ଦଣ୍ଡାୟମାନ। ଯୋଉଥିପାଇଁ ଏକ ପବିତ୍ର ସ୍ଥାନ ଭାବେ ମଧ୍ୟ ପରିଗଣିତ ହୋଇଆସୁଛି। ଏହାର ଖୁବ ନିକଟରେ ରହିଛି କାଳଡ୍ୟାମ୍। ଯାହାକି ସୌନ୍ଦର୍ଯ୍ୟରେ ଭରପୁର। କାଳକ୍ରମେ ଏଅଞ୍ଚଳ ସରକାରଙ୍କ ଦୃଷ୍ଟିକୁ ଆସି ଏବେ ଏକ ଅତ୍ୟାଧୁନିକତାରେ ପରିଣତ ହେବାକୁ ଯାଉଛି। ତେବେ ପରିବାର ସହ ଶମୀବୃକ୍ଷ ବୁଲି ଆସୁଥିବା ପର୍ଯ୍ୟଟକ ହୁଅନ୍ତୁ ଅଥବା ପ୍ରେମୀଯୁଗଳ ଏଠାରେ କିନ୍ତୁ ବୋଟିଙ୍ଗ ସାଙ୍ଗକୁ ନୌକାବିହାର କରିବାର ସୁଯୋଗ ହାତଛଡା କରିନଥାନ୍ତି। ତେବେ ଏହା ଦର୍ଶକମାନଙ୍କୁ ଆକର୍ଷିତ କରିଛି।