ଆଦିବାସୀମେଳାରେ ଆକର୍ଷଣ ସାଜିଛି ଜନଜାତି କଳାକାରଙ୍କ ସାମଗ୍ରୀ ପ୍ରସ୍ତୁତିର ପ୍ରଦର୍ଶନ ସାଂସ୍କୃତିକ ମଣ୍ଡପ ଓ ଜାତୀୟ ଜନଜାତି ଖାଦ୍ୟ ମେଳାରେ ଭିଡ

487
ADVERTISEMENT

ଭୁବନେଶ୍ୱର, ୧/୨(ଆଇ ଏଣ୍ଡ ପିଆରଓ) : ଆଦିବାସୀ ମେଳାର ଅନ୍ୟତମ ମୁଖ୍ୟ ଆକର୍ଷଣ ସାଜିଛି ଜନଜାତି କଳାକାରମାନଙ୍କ ସିଧାସଳଖ କଳା ପ୍ରଦର୍ଶନ । ପ୍ରଥମଥର ପାଇଁ ମେଳାରେ ବିଭିନ୍ନ ପାରମ୍ପରିକ ଚିତ୍ରକଳା, ବୁଣାବୁଣି ଆଦିକୁ ଦର୍ଶକମାନେ ସିଧାସଳଖ ଦେଖିବାକୁ ପାଉଛନ୍ତି । ଲୋକଙ୍କ ସମ୍ମୁଖରେ ଜନଜାତି କଳାକାରମାନେ ସେମାନଙ୍କର ପାରମ୍ପରିକ ଚିତ୍ରକଳା, ପୋଷାକ ପ୍ରସ୍ତୁତି ଆଦି ଦେଖାଉଥିବାବେଳେ ଏଥର ମେଳାରେ ଗଣ୍ଡ ଜନଜତିର କଳାକାରମାନେ ଗଣ୍ଡ ଓ ଲାଞ୍ଜିଆ ସଉରାମାନେ ସଉରା ଚିତ୍ରକଳା ପ୍ରଦର୍ଶନ କରୁଛନ୍ତି । ସେହିଭଳି କୁଲ୍ସି, ଦୁରୁଆ ଓ ବଣ୍ଡା ଜନଜାତିଙ୍କର ପୋଷାକ ବୁଣା ଶୈଳୀ ଉପରେ ଦର୍ଶକଙ୍କ ଆଖି ଲାଖି ଯାଉଛି । ସାନ୍ତାଳଙ୍କ ଡୋକ୍ରା, ଲୋଧାଙ୍କ ବାଉଁଶକାମ, ମାଙ୍କଡିଆଙ୍କ ଶିଆଳିପତ୍ର, ବାଥୁଡି ସମ୍ପ୍ରଦାୟର ସବାଇ ଘାସର କାମ ମେଳାରେ ସାଜିଛି ମୁଖ୍ୟ ଆକର୍ଷଣ ।

ସହରୀ ଲୋକଙ୍କୁ ଜନଜାତିଙ୍କ ପାରମ୍ପରିକ ସାମଗ୍ରୀ ପ୍ରସ୍ତୁତି ସଂକ୍ରାନ୍ତରେ ଜୀବନ୍ତ ଅଭିଜ୍ଞତା ଦେବାପାଇଁ ଚଳିତବର୍ଷ ମେଳାରେ ଏଭଳି ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ମେଳା ଦାୟିତ୍ୱରେ ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ତାଲିମ ପ୍ରତିନର ନିଦେ୍ର୍ଧଶକ ତଥା ସ୍ୱତନ୍ତ୍ର ସଚିବ ଡକ୍ଟର ଅଖିଳ ବିହାରୀ ଓତା । ଡକ୍ଟର ଓତା କହିଛନ୍ତି ଯେ ଦର୍ଶକମାନେ ପୂର୍ବରୁ ଆଦିବାସୀମେଳାରେ ଜନଜାତିଙ୍କ ଦ୍ୱାରା ପ୍ରସ୍ତୁତ ଗହଣା, ବସ୍ତ୍ର, ଚିତ୍ରକଳା ଆଦି କେବଳ ଖରିଦ କରୁଥିଲେ । ତାହା କିଭଳି ପ୍ରସ୍ତୁତ ହେଉଛି ସେ ସଂକ୍ରାନ୍ତରେ ଜାଣିବାର ଅବକାଶ ନଥିଲା । ଅନେକ ଦର୍ଶକ ଜାଣିବାକୁ ଇଚ୍ଛାବ୍ୟକ୍ତ କରି ନିରାଶ ହେଉଥିଲେ । କିନ୍ତୁ ଏଥର ମେଳାରେ ଜନଜାତି କଳାକାରଙ୍କ କଳାନୈପୂଣ୍ୟ ଲୋକେ ସିଧାସଳଖ ଦେଖିବା ସହିତ ନିଜ ପାଇଁ ଆବଶ୍ୟକ ସାମଗ୍ରୀ ସେହିଠାରେ ବରାଦ ଦେଇ ପାଇ ପାରୁଛନ୍ତି । ବଡ ବଡ ଶିଳ୍ପସଂସ୍ଥା ମଧ୍ୟ ଏହି ଚିତ୍ରକଳା ପ୍ରତି ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି ଯାହାକି ଜନଜାତି କଳାକାରଙ୍କ ଆୟ ବୃଦ୍ଧିପାଇଁ ଏକ ବଡ ସୁଯୋଗ ସୃଷ୍ଟି କରିଛି ।


ମେଳାର ସଂଧ୍ୟାରୁ ଜାତୀୟ ଜନଜାତି ନୃତ୍ୟ ମହୋସôବ ଆରମ୍ଭ ହୋଇଥିବାବେଳେ ଆସାମ, ଗୁଜୁରାଟ, ମହାରାଷ୍ଟ୍ର, ମଣିପୁର, ନାଗାଲ୍ୟାଣ୍ଡ, ଅରୁଣାଚଳ ପ୍ରଦେଶ, ହିମାଚଳ ପ୍ରଦେଶ, ସିକିମ ସମେତ ଓଡ଼ିଶାର ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍ ଚିତ୍ତାକର୍ଷକ ହୋଇଥିଲା । ବିଭିନ୍ନ ରାଜ୍ୟର ଜନଜାତି କଳାକାରଙ୍କ ବାଦ୍ୟ, ପୋଷାକ ଓ ନୃତ୍ୟକୁ ଲୋକେ ବେଶ୍ ମନଭରି ଉପଭୋଗ କରିଥିଲେ । ଶୁକ୍ରବାରଦିନ ମେଳାକୁ ପ୍ରାୟ ଏକ ଲକ୍ଷ ଦର୍ଶକ ଆସିଥିବାବେଳେ ଜାତୀୟ ଜନଜାତି ଖାଦ୍ୟ ମେଳାରେ ବ୍ୟବସାୟ ୧୦ଲକ୍ଷ ଟଙ୍କା ଅତିକ୍ରମ କରିଛି । ଖାଦ୍ୟ ସାଙ୍ଗକୁ ଲୋକେ ଆଦିବାସୀ ହାଟରୁ ବି ବହୁ ସାମଗ୍ରୀ ଖରିଦ କରିଛନ୍ତି ।

ବିଶେଷକରି ଆଦିବାସୀ ହାଟରେ ମିଳୁଥିବା ଝୁଣା, ହରିଡା, ବାହାଡା, ହଳଦୀ ଓ ବିଭିନ୍ନ ପ୍ରକାର ଜୈବିକ ସାମଗ୍ରୀ ପ୍ରତି ଲୋକେ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ସେମାନଙ୍କୁ କିଭଳି ଜୈବିକ ସାମଗ୍ରୀ ଯୋଗାଯାଇ ପାରିବ ସେଥିପାଇଁ ମେଳାରେ ଯୋଗ ଦେଇଥିବା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ପକ୍ଷରୁ ସ୍ୱତନ୍ତ୍ର ଭାବେ ପଦକ୍ଷେପ ଗ୍ରହଣ କରାଯାଉଛି । ଚଳିତବର୍ଷ ଆଦିବାସୀମେଳାରେ ସର୍ବାଧିକ ୨୬୨ ଟି ଷ୍ଟଲ ନିର୍ମାଣ ହୋଇଥିଲେ ମଧ୍ୟ ପ୍ରଶସ୍ତ ସ୍ଥାନ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଥିବାରୁ ଚଳିତବର୍ଷ ମେଳାକୁ ବହୁ ସଂଖ୍ୟକ ଦର୍ଶକ ଆସିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ।

Advertisement