ମୟୁରଭଞ୍ଜ, ୨୭/୧( ସୀତାରାମ ଦୀକ୍ଷିତ) : ବଡସାହିରୁ ବାରିପଦା ଅଭିମୁଖେ ମହାଭାରତ ବସ୍ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଆରପଟା ଛକ ପୂର୍ବରୁ ଏକ ବିଲତଳକୁ ଓଲଟି ପଡି ଦୁର୍ଘଟଣା ଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବଡସାହି ବିଧାୟକ ସନାତନ ବିଜୁଳି, ବଡସାହିଥାନା ଅଧିକାରୀ, ବଡସାହି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଥିବା ଯାତ୍ରୀ ମାନଙ୍କୁ ଉଦ୍ଧାର କରି ବଡସାହି ମେଡିକାଲ ପଠାଇଥିଲେ । ତେବେ ବଡ଼ସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତ୍ତର ଆହତଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ବାରିପଦା ପିଆର୍ ଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଆମ୍ବୁଲାନ୍ସର ସୁବିଧା ଠିକ୍ ଭାବରେ ନ ମିଳିବାରୁ ବଡସାହି ବିଧାୟକ ସନାତନ ବିଜୁଳି ତାଙ୍କ ନିଜ ଗାଡିରେ ପାଞ୍ଚଜଣ ଗୁରୁତର ଯାତ୍ରୀଙ୍କୁ ବାରିପଦା ମେଡିକାଲ ନେଇଥିବା ଦେଖିବାକୁ ମିଳିଛି । ତେବେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ମହାଭାରତ ଯାତ୍ରୀବାହୀ ବସ୍ ରେ ସତୁରି ଜଣ ଯାତ୍ରୀ ଯାଉଥିବାର ଜାଣିବାକୁ ମିଳିଛି । କିନ୍ତୁ ପରିବହନ ବିଭାଗ ପକ୍ଷରୁ ଯାତ୍ରୀବାହୀ ବସ ଗୁଡିକୁ ଯାତ୍ରୀ ସହ ଯାଞ୍ଚ କାରାଯାଉ ନ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ ହେଉଛି। ଅନ୍ୟପଟେ ନିୟମକୁ ବେଖାତିର ଧାର୍ଯ୍ୟ ଅନୁମତି ଠାରୁ ଅଧିକ ଯାତ୍ରୀ ନେଉଥିଲେ ମଧ୍ୟ ଜୋରିମାନା କରି ସରକାରୀ ରାଜସ୍ଵ ବୃଦ୍ଧି ପ୍ରତି ପରିବହନ ବିଭାଗ ଅଧିକାରୀ ଆଗ୍ରହ ପ୍ରକାଶ ନ କରିବା ରହସ୍ୟଜନକ ବୋଲି ଅଭିଯୋଗ ଉଠୁଛି।