ଭୁବନେଶ୍ୱର, ୨୪/୬(ଡି.ଏଚ.ବି): ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ। ପ୍ରଥମ ପର୍ଯ୍ୟାୟ ଜୁନ ୨୫ରୁ ଆରମ୍ଭହୋଇ ଜୁଲାଇ ୨ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଦ୍ୱିତୀୟ ଅଧିବେଶନ ଜୁଲାଇ ୧୨ରୁ ଅଗଷ୍ଟ ୮ପର୍ଯ୍ୟନ୍ତ ହେବ। ଏହାକୁ ଦୁଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
ସୁରକ୍ଷା ବ୍ୟବସ୍ଥା ପାଇଁ ୨୮ ପ୍ଲାଟୁନ ପୋଲିସ ଫୋର୍ସ ତଥା ୧୦୦ଜଣ ପୋଲିସ ଅଫିସର ମୁତୟନ ରହିବେ। ସମ୍ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ। ତାଙ୍କ ତଳକୁ ୪ଜଣ ଅତିରିକ୍ତ ଡିସିପି, ୧୩ଜଣ ଏସିପି, ୧୦ଜଣ ଇନ୍ସପେକ୍ଟର, ୬୨ଜଣ ଏସ୍ଆଇ ଓ ଏଏସ୍ଆଇ ଏବଂ ୪ଜଣ ଟ୍ରାଫିକ ପୋଲିସ ମୁତୟନ ରହିବେ। ବିଧାନସଭା ଚାଲିବାର ପୂର୍ବଦିନ ଅର୍ଥାତ ଆଜି ସନ୍ଧାନୀ କୁକୁର ସହ ବୋମାନିଷ୍କ୍ରିୟକାରୀ ଦଳ ବିଧାନସଭା ଭିତର ଓ ବାହାରେ ଯାଞ୍ଚ କରିବ। ଏହାସହ ପୋଲିସ ଡିଜି ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା, ପୋଲିସ କମିଶନର ସତ୍ୟଜିତ୍ ମହାନ୍ତି ପ୍ରମୁଖ ବିଧାନସଭା ଭିତର ଓ ବାହାରେ ବୁଲି ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ କରିବେ।
ବିଧାନସଭାକୁ ଲାଗିଥିବା ରାସ୍ତାରେ ବ୍ୟାରିକେଡ ବ୍ୟବସ୍ଥା କରାଯିବ। ଏହି ବ୍ୟାରିକେଡ ନିକଟରେ ପ୍ରାୟ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବ। ସେମାନେ ସନ୍ଦିଗ୍ଧ ଗାଡି ଓ ବ୍ୟକ୍ତିଙ୍କ ଉପରେ ନଜର ରଖିବେ। ଏହାସହ ଏକାଧିକ ବ୍ୟକ୍ତି ରୁଣ୍ଡ ହୋଇ ବିଧାନସଭା ଅଭିମୁଖେ ଯିବାକୁ ଚେଷ୍ଟା କରୁଥିଲେ ସେମାନଙ୍କୁ ତୁରନ୍ତ ଅଟକ ରଖାଯିବା ସହ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ବିଧାନସଭାର ପାଚେରି ଓ ଏହାର ଚତୁଃପାର୍ଶ୍ୱରେ ପ୍ରାୟ ୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ବିଧାନସଭା ଚାଲୁଥିବାରୁ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ପକ୍ଷରୁ ଦାବି ପୂରଣ ନେଇ ଧାରଣ ଦିଆଯିବ। ତେଣୁ ସେମାନଙ୍କ ଉପରେ ନଜର ରଖିବାକୁ ପ୍ରାୟ ୧୦ପ୍ଲାଟୁନ ପୋଲିସ ଫୋର୍ସ୍ର ବ୍ୟବସ୍ଥା କରାଯାଇଛି। ବ୍ୟାରିକେଡ୍ ସହ ଧାରଣାସ୍ଥଳରେ ୩୦ରୁ ଊର୍ଦ୍ଧ୍ୱ ସିସିଟିଭି ଲଗାଯାଇଛି। ଧାରଣାସ୍ଥଳରେ ମଧ୍ୟ ସାଧା ପୋଷାକଧାରୀ ପୋଲିସ ମୁତୟନ ରହିବେ। ସେମାନେ ବିଭିନ୍ନ ସଙ୍ଗଠନର ଯୋଜନା ସମ୍ପର୍କରେ ପୋଲିସକୁ ଆଗୁଆ ସୂଚନା ଦେବେ।
ଏସବୁ ସତ୍ତ୍ୱେ ଜଣେ ସାଧା ପୋଷାକଧାରୀ ପୋଲିସ କ୍ୟାମେରାରେ ପୂରା ବିକ୍ଷୋଭ ଓ ଆନ୍ଦୋଳନର ଭିଡିଓ ରେକର୍ଡିଂ କରିବେ। ଏଥିପାଇଁ ବିଧାନସଭା ଉତ୍ତର ଗେଟ, ଫଟୋମେକର୍ସ ଲେନ୍ ଓ ଧାରଣାସ୍ଥଳରେ ୩ଟି କଣ୍ଟ୍ରୋଲ ରୁମ୍ ଖୋଲାଯିବ। ସେଠାରେ ଅଧିକାରୀମାନେ ଉପସ୍ଥିତ ରହି ସିସିଟିଭି ଉପରେ ନଜର ରଖିବାସହ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରିବେ। ଡିସିପି ଏହି ତିନୋଟି କଣ୍ଟ୍ରୋଲ ରୁମ୍କୁ ପ୍ରତି ଘଣ୍ଟାରେ ଅନୁଧ୍ୟାନ କରିବେ। ସେହିଭଳି ଜରୁରୀକାଳୀନ ପରିସ୍ଥିତି ପାଇଁ ପାଣିମାଡ ଗାଡି, ଗ୍ୟାସ୍ ଓ ଅନ୍ୟ ଯାନ୍ତ୍ରିକ ସରଞ୍ଜାମକୁ ରଖାଯିବ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।