ହିଞ୍ଜିଳିକାଟୁରେ ଏନ୍ସେଫେଲାଇଟ୍ସ ଭୟ: ବଜାରରୁ ଲିଚୁ ଗାଏବ

299
ADVERTISEMENT

ହିଞ୍ଜିଳିକାଟୁ, ୨୨/୬ (ଶେଷଦେବ ସାହୁ): ହିଞ୍ଜିଳିକାଟୁ ବଜାରରୁ ହଠାତ୍ ଶୁକ୍ରବାର ଠାରୁ ଲିଚୁକୋଳି ଉଭାନ ହୋଇଯାଇଛି । ପୂର୍ବରୁ ହିଞ୍ଜିଳିକାଟୁ ପୌରାଞ୍ଚଳ ଅନ୍ତର୍ଗତ ଜାତୀୟ ରାଜପଥର ଉଭୟ ପ୍ୱାଶ୍ୱର୍ରେ ଠେଲାଗାଡ଼ି ସମେତ ବିଭିନ୍ନ ଫଳ ଦୋକାନ ଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣରେ ଲିଚୁ ବିକ୍ରି ହେଉଥିବାବେଳେ ଶୁକ୍ରବାର ବଜାରର କୌଣସି ଫଳ ଦୋକାନ କିମ୍ବା ଠେଲା ଗାଡ଼ିରେ ଲିଚୁ ଦେଖିବାକୁ ମିଳିନଥିଲା । ତେବେ ମସ୍ତିସ୍କ ଜ୍ୱର ଭୟ କାରଣରୁ ଲିଚୁ ଉଭାନ ହୋଇଯାଇଥିବା ଆଲୋଚନା ହେଉଛି ।

ବିହାରରେ ଲିଚୁ କୋଳି ଖାଇ ଶତାଧିକ ଶିଶୁ ଏନ୍ସେଫେଲାଇଟ୍ସ (ମସ୍ତିସ୍କ ଜ୍ୱର)ରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିବାପରେ ବର୍ତ୍ତମାନ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ କାରଣରୁ ଲିଚୁ କୋଳି ବ୍ୟବସାୟରେ ଅଙ୍କୁଶ ଲାଗିଛି । ଓଡ଼ିଶାରେ ବିକ୍ରି ହେଉଥିବା ଲିଚୁ କୋଳିରେ ବିଷାକ୍ତ ପଦାର୍ଥ ଅଛି କି ନାହିଁ ତାହାର ମାନ ଯାଞ୍ଚ କରିବା ଲାଗି ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶ ଦେବାପରେ ଲିଚୁ ବ୍ୟବସାୟ କମିଛି । ହିଞ୍ଜିଳିକାଟୁ ବଜାରରେ ମେ’ ମାସରୁ ଲିଚୁ ବିକ୍ରି ଆରମ୍ଭ ହେଇଥିବାବେଳେ ପ୍ରଥମେ ଏହି ବଜାରକୁ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଳକରୁ ଲିଚୁ ଆସିଥିଲା । ଏହାର କିଲୋ ପିଛା ଦର ୧୬୦ରୁ ୧୪୦ ଟଙ୍କା ରହିଥିବାବେଳେ ଜୁନ ମାସରେ କୋଲକତା, ବିହାରରୁ ପ୍ରଚୁର ପରିମାଣରେ ଲିଚୁ କୋଳି ହିଞ୍ଜିଳିକାଟୁ ବଜାରକୁ ଆସିଥିଲା । ଏହାର ଦର ହ୍ରାସପାଇ କିଲୋ ପିଛା ୧୦୦ ଟଙ୍କା ରହିଥିଲା ।

ସହରର ଲକ୍ଷ୍ମୀ ବଜାର, ବିଜୁ ପଟ୍ଟନାୟକ ଛକ, ପରିବା ବଜାରରେ ଠେଲା ଗାଡ଼ି ସମେତ ବହୁ ଫଳ ଦୋକାନଗୁଡ଼ିକରେ ଲିଚୁ ବିକ୍ରି ହେଉଥିଲା । ବ୍ୟବସାୟୀଙ୍କ କହିବାନୁସାରେ ଗତ ୨ଦିନ ହେଲା ଲିଚୁ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଅନ୍ୟପଟେ ଆମଦାନୀ ବନ୍ଦ ହେବା କାରଣ ନେଇ ବ୍ୟବସାୟୀମାନେ ମସ୍ତିସ୍କ ଜ୍ୱର ଯୋଗୁଁ ଲିଚୁ ଆସିନଥିବା କଥା କହିଛନ୍ତି ।

Advertisement