ବାଲେଶ୍ଵର,୬/୧୨(ଡିଏଚ/ନରେନ୍ଦ୍ର ପ୍ରସାଦ ବେହେରା)– ବାଲେଶ୍ବର ଜିଲ୍ଲା ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବା ନେଇ ଜନସାଧାରଣ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଆଗରେ ଧାରଣାରେ ବସିଥିଲେ । ଘଟଣାରୁ ଯାହାଜଣା ପଡିଥିଲା ଯେ, ଖଇରା ବ୍ଲକ ଅଧିନ ରଘୁନାଥପୁର ଗ୍ରାମର ପ୍ରଶାନ୍ତ ଲେଙ୍କା ନାମକ ପିଲାଟି ଘର ଆଗ ଦାଣ୍ଡରେ ଖେଳୁଥିବା ସମୟରେ ଏକ କୁକୁର କାମୁଡି ଦେଇଥିଲା । ଏହା ଜାଣି ପରିବାର ଲୋକେ ସଙ୍ଗେ ସଙ୍ଗେ ନିକଟସ୍ଥ ଖଇରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଆଣିଥିଲେ । କେନ୍ଦ୍ରରେ କାର୍ଯ୍ଯରତ ଡାକ୍ତର ପ୍ରାଥମିକ ଚିକିତ୍ସା କରିଥିଲେ ମଧ୍ୟ କୁକୁର କାମୁଡା ଇଞ୍ଜେକ୍ସନ ନଥିବାର ପ୍ରକାଶ କରିଥିଲେ । ଏହାଶୁଣି ପରିବାର ଓ କର୍ମଚାରୀଙ୍କ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଖବରପାଇ ସ୍ଥାନୀୟ ସମାଜସେବୀ ବଳରାମ ପଣ୍ଡା ଓ କିଛି ଜନସାଧାରଣ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ପଚାରି ବୁଝିଥିଲେ lମଧ୍ୟ ଉତ୍ତେଜନା ବଡ ଆକାରରେ ପରିଣତ ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପରିବାର ଲୋକଙ୍କ ସହିତ ସ୍ଥାନୀୟ ଜନସାଧାରଣ ମେଡିକାଲ ଆଗରେ ଧାରଣାରେ ବସିଥିଲେ । ଧାରଣାକାରୀ ମାନଙ୍କୁ ଡାକ୍ତରଙ୍କ ବହୁ ବୁଝାସୁଝା କରି ୧୦୮ ଯୋଗେ ଭଦ୍ରକ ସ୍ଥାନାନ୍ତରିତ କରିବାପରେ ଘଟଣା ସ୍ଥଳ ଶାନ୍ତ ପଡିଥିଲା । ଏଠାରେ ପ୍ରକାଶ ଥାଉକି ଖଇରା ବ୍ଲକ ୩୭ ଗୋଟି ପଞ୍ଚାୟତକୁ ନେଇ ଗଠିତ । ଏହାଛଡା ପାଖ ବ୍ଲକର ବିଭିନ୍ନ ପଞ୍ଚାୟତରୁ ମଧ୍ୟ ବହୁଲୋକ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଚିକିତ୍ସା ପାଇଁ ନିର୍ଭର କରୁଥିବା ବେଳେ କୁକୁର କାମୁଡା ଇଞ୍ଜେକ୍ସନ ଗଚ୍ଛିତ ନରହିବା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଥିସହିତ ରୋଗୀମାନଙ୍କୁ ଯଦି ସବୁ ପ୍ରକାର ଔଷଧ ନମିଳେ ଆଗାମୀ ଦିନରେ ଜନସାଧାରଣ ଆନ୍ଦୋଳନକୁ ଉହ୍ଲାଇବେ ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି । ଏ ବିଷୟରେ ବାଲେଶ୍ଵର ସିଡିଏମଓଙ୍କୁ ଯୋଗାଯୋଗ କରିବାରୁ ଇଞ୍ଜେକ୍ସନର ଅଭାବ ଥିବା ପ୍ରକାଶ କରିଥିଲେ ।