ହିଞ୍ଜିଳିକାଟୁ, ୨୧/୬ (ଶେଷଦେବ ସାହୁ): ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗୁରୁବାର ପୂର୍ବାହ୍ନରେ ହିଞ୍ଜିଳିକାଟୁ ବ୍ଳକ ଅଫିସ ସଭାକକ୍ଷରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ଛତ୍ରପୁର ଉପ-ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ତହସିଲଦାର ଗୋପୀନାଥ କୁଅଁର ପ୍ରମୁଖଙ୍କ ସହ ପ୍ରୋବେସନାରୀ ସର୍ବଭାରତୀୟ ପ୍ରଶାସକ ଯୋଗଦେଇଥିଲେ । ହିଞ୍ଜିଳିକାଟୁ ବସ ଟର୍ମିନାଲ , ମାକେର୍ଟ କଂପ୍ଲେକ୍ସ ଓ ଇନଡେ଼ାର ଷ୍ଟାଡ଼ିଅମ ନିର୍ମାଣରେ ବିଳମ୍ବ ନେଇ ଜିଲ୍ଲାପାଳ ଅସନ୍ତୋଷ ଜାହିର କରିବା ସହ ତୁରନ୍ତ କାର୍ଯ୍ୟ ସମ୍ପାଦନ ନକଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀଙ୍କୁ ଚେତାବନୀ ଦେଇଥିଲେ । ହିଞ୍ଜିଳିକାଟୁ ଅଞ୍ଚଳର ଚାଷୀ ୨ଟି ଫସଲ କିପରି ଅମଳ କରିପାରିବେ ସେଥି ପ୍ରତି ରିପୋର୍ଟ କରିବା ନେଇ କୃଷି ବିଭାଗ ଓ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କୁ କହିଥିଲେ । ବିଭିନ୍ନ ଉନ୍ନୟନ କାର୍ଯ୍ୟର ଯୋଜନା ପ୍ରସ୍ତୁତ କରି ୮ଦିନ ମଧ୍ୟରେ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କହିଥିଲେ । ଭଲ କାମ ସହ ଧାର୍ଯ୍ୟ ସମୟରେ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୈଠକରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରଣୀଧର ଭୂୟାଁ, ଜିପିଓ ବିଜୟ କୁୁମାର ପ୍ରଧାନ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ହୋତା, ଡ଼ଃ. ଅନିଲ କୁମାର ରଥ, ଗୋଷ୍ଠୀ ଶିକ୍ଷାଧିକାରୀ ଏସ.ଗିରିଧାରୀ, ଇଂ. ସନ୍ତୋଷ କୁମାର ଚୌଧୁରୀ, ଇଂ. ପରମାନନ୍ଦ ସାହୁ, ଇଂ. ପ୍ରଦୀପ କୁମାର ପାଢୀ, ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର, ଯୋଗାଣ ନିରୀକ୍ଷକ ଶରତ ବେହେରା, ଇଂ. ଅରୁଣ କୁମାର ଶୁକ୍ଳାଙ୍କ ସମେତ ବ୍ରହ୍ମପୁର କୃଷି ଉପ-ନିର୍ଦ୍ଦେଶକ, ଉଦ୍ୟାନ ବିଭାଗ ଉପ-ନିର୍ଦ୍ଦେଶକ, ହିଂଜିଳିକାଟୁ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଗ୍ରାମ୍ୟ ଉନ୍ନୟନ, ଜଳ ସେଚନ, ପୂର୍ତ୍ତ ବିଭାଗ ତଥା କ୍ଷୁଦ୍ର ଜଳ ସେଚନର ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଯୋଗ ଦେଇ ଆଲୋଚନା କରିଥିଲେ ।