‘ଟ୍ରିପଲ୍ ତଲାକ୍’ ବିଲ୍‌ ଲୋକସଭାରେ ଆଗତ

ସପକ୍ଷରେ ୧୮୬, ବିପକ୍ଷରେ ୭୪

201
ADVERTISEMENT

ନୂଆଦିଲ୍ଲୀ, ୨୧/୬(ଡିଏଚବି): ଗତ ଏନ୍‌ଡିଏ-୧ ସରକାର ସମୟରେ ରାଜ୍ୟସଭାରେ ପାରିତ ହୋଇପାରିନଥିବା ‘ଟ୍ରିପଲ୍ ତଲାକ୍’ ବିଲ୍‌ ଆଜି ନୂଆରୂପରେ ଲୋକସଭାରେ ଆଗତ ହୋଇଛି। କେନ୍ଦ୍ର ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଆଜି ଲୋକସଭାରେ ଏହାକୁ ଆଗତ କରିଥିଲେ। ତେବେ ବିରୋଧୀ ଦଳ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯିବା ସହ ଏପରି ବିଲ୍‌ ଆଗତ କରିବା ସମ୍ବିଧାନ ବିରୋଧୀ ବୋଲି କୁହାଯାଇଥିଲା।

ବିଲ୍‌ ଆଗତ କରିବା ସପକ୍ଷରେ ଓ ବିପକ୍ଷରେ କେତେଜଣ ଅଛନ୍ତି, ଏହା ଜାଣିବାପାଇଁ ବାଚସ୍ପତି ଓମ୍‌ ବିର୍ଲା ଭୋଟିଂ ବ୍ୟବସ୍ଥା ଆପଣାଇଥିଲେ। ଏହି ସମୟରେ ବିଲ୍‌ ସପକ୍ଷରେ ୧୮୬ ଜଣ ସାଂସଦ ଭୋଟିଂ କରିଥିବାବେଳେ ବିପକ୍ଷରେ ୭୪ ଜଣ ଯାଇଥିଲେ। ତେବେ, ଓଡ଼ିଶାର କ୍ଷମତାସୀନ ବିଜେଡି ଭୋଟଦାନ ପ୍ରକ୍ରିୟାରୁ ବିରତ ରହିଥିଲା ବୋଲି ବିଜେଡି ସଂସଦୀୟ ଦଳ ମୁଖ୍ୟ ପିନାକୀ ମିଶ୍ର ସୂଚନା ଦେଇଛନ୍ତି।

ମୁସଲିମ୍ ମହିଳା(ବିବାହ ଅଧିକାର ସୁରକ୍ଷା) ବିଲ୍ ୨୦୧୯ ମୋଦି-୨ ସରକାରଙ୍କ ପ୍ରଥମ ବିଲ୍‌ ଭାବେ ଲୋକସଭାରେ ଆଗତ ହୋଇଛି। ଲିଙ୍ଗଗତ ସମାନତା ଓ ନ୍ୟାୟ ପ୍ରଦାନ ପାଇଁ ଏଭଳି ବିଲ୍‌ର ଆବଶ୍ୟକତା ରହିଛି ବୋଲି ଆଇନ୍‌ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି। ଏଭଳି ବିଲ୍‌ ଧର୍ମ ଆଧାରରେ ନୁହେଁ, ବରଂ ନ୍ୟାୟ ଆଧାରରେ ପ୍ରସ୍ତୁତ ହୋଇଛି।

୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଏହି ବିଲ ସମେତ ୧୦ଟି ଅଧ୍ୟାଦେଶକୁ ଆଇନରେ ପରିଣତ କରିବାର ଯୋଜନା ସରକାର କରିଛନ୍ତି।

Advertisement