ଭୁବନେଶ୍ୱର, ୨୧/୬(ନରେନ୍ଦ୍ର ଜେନା): ଭୁବନେଶ୍ବର ସ୍ଥିତ ସୂଚନା ଭବନରେ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳ ଆଜି ପ୍ରକାଶ ପାଇଛି। କଳାରେ ୬୫.୮୯% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ବାଣିଜ୍ୟରେ ୭୦.୨୬ % ପାସ୍ କରିଛନ୍ତି। ତେବେ, ଉଭୟ ପାଠ୍ୟକ୍ରମରେ ଚଳିତ ଥର ପାସ୍ ହାର କମିଛି। ଗତ ବର୍ଷ କଳାରେ ୬୮.୭୯% ଛାତ୍ରଛାତ୍ରୀ ପାସ୍ କରିଥିବାବେଳେ ବାଣିଜ୍ୟରେ ୭୪.୯୧ % ପାସ୍ କରିଥିଲେ।
କଳା ଫଳାଫଳ- ଏଥର କଳାରେ ମୋଟ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୮,୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୯୪୪ ଜଣ ଦ୍ୱିତୀୟ ଓ ୧ ଲକ୍ଷ ୧୦ ହଜାର ୪୫୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି।
ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୫୭,୪୪୨ ଜଣ ଛାତ୍ର ଥିବା ବେଳେ ୯୪,୮୮୧ ଛାତ୍ରୀ ପାସ୍ କରିଛନ୍ତି। ୪ଟି କଲେଜରେ ଶତପ୍ରତିଶତ ଫଳାଫଳ ହୋଇଛି। ଦୁଇଟି କଲେଜରେ ଜଣେ ବି ପରୀକ୍ଷାର୍ଥୀ ପାସ୍ କରି ପାରି ନାହାନ୍ତି। ବାଲେଶ୍ୱର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୭୫.୬୭% ଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ୪୭.୪୬% ରହିଛି।
ବାଣିଜ୍ୟ ଫଳାଫଳ- ବାଣିଜ୍ୟରେ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮,୮୨୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫,୬୨୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୩,୭୪୬ ଜଣ ଦ୍ୱିତୀୟ ଓ ୯,୪୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ୧୧,୭୩୮ ଜଣ ଛାତ୍ର ଥିବା ବେଳେ ୭୦୮୮ ଜଣ ଛାତ୍ରୀ ଅଛନ୍ତି। ସେହିଭଳି ଖୋର୍ଦ୍ଧାରେ ପାସ୍ ହାର ସର୍ବାଧିକ ୮୬.୮୯% ରହିଥିବା ବେଳେ ଦେବଗଡ଼ରେ ସର୍ବନିମ୍ନ ୨୪.୪୩% ରହିଛି। ବାଣିଜ୍ୟରେ ୨୫ଟି କଲେଜରେ ଶତପ୍ରତିଶତ ରେଜଲ୍ଟ ହୋଇଥିବା ବେଳେ ୪ଟି କଲେଜରେ ଜଣେ ବି ପିଲା ପାସ୍ କରି ନାହାନ୍ତି।
ଧନ୍ଦାମୂଳକ ଶିକ୍ଷା ଫଳାଫଳ- ଧନ୍ଦାମୂଳକ ଶିକ୍ଷାରେ ୭,୮୪୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୪,୧୨୬ ଜଣ ପାସ୍ କରିଛନ୍ତି। ପାସ୍ ହାର ୫୨.୬୨% ରହିଛି। ପାସ୍ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରେ ୧,୯୮୨ ଜଣ ଛାତ୍ର ଥିବାବେଳେ ୨,୧୪୧ ଜଣ ଛାତ୍ରୀ ଅଛନ୍ତି। ୫୪୪ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାବେଳେ ୧,୭୦୭ ଜଣ ଦ୍ୱିତୀୟ ଓ ୧,୭୧୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି। ବାଲେଶ୍ୱରରେ ସର୍ବାଧିକ ୪୭.୩୪% ପାସ୍ କରିଥିବାବେଳେ ନବରଙ୍ଗପୁରରେ ସର୍ବନିମ୍ନ ୮.୩୩% ପିଲା ପାସ୍ କରିଛନ୍ତି। ଗତ ବର୍ଷ ଧନ୍ଦାମୂଳକ ପରୀକ୍ଷାରେ ୭,୯୬୬ ପିଲା ପରୀକ୍ଷା ଦେଇଥିବାବେଳେ ୫୨.୬୧% ପାସ୍ କରିଥିଲେ।

ତେବେ, ଗତ ବର୍ଷ ତୁଳନାରେ ଚଳିତ ଥର କାହିଁକି କଳା ଓ ବାଣିଜ୍ୟ ପରୀକ୍ଷା ଫଳ କମିଲା, ସେନେଇ ତର୍ଜମା କରାଯିବ ବୋଲି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।ପୂର୍ବରୁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବି ଗତ ବର୍ଷ ଅପେକ୍ଷା ଏବର୍ଷ ଖରାପ ଥିଲା। ଏଥର ପାସ୍ ହାର ୭୨.୩୩% ରହିଥିଲା, ଯାହା ଗତ ବର୍ଷ ତୁଳନାରେ ୪.୬୫% କମ୍।
ଛାତ୍ରଛାତ୍ରୀ www.chseodisha.nic.in ଏବଂ www.orissaresults.nic.in ଦୁଇଟି ୱେବସାଇଟ୍ ଜରିଆରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ପରୀକ୍ଷା ଫଳ ନିଜର ଜାଣିପାରିବେ।