ନୂଆଦିଲ୍ଲୀ,୨୨ା୧୧(ଡି.ଏଚ): ଭାରତୀୟ ସେନା ପକ୍ଷରୁ ଯବାନମାନଙ୍କ ଲାଗି ହ୍ବାଟ୍ସଆପ୍କୁ ନେଇ ଆଡ୍ଭାଇଜରି ଜାରି କରାଯାଇଛି। ଯବାନମାନେ ସେମାନଙ୍କ ହ୍ବାଟ୍ସଆପ୍ ସେଟିଂ ବଦଳାଇବାକୁ ଏଥିରେ କୁହାଯାଇଛି । ଆଡ୍ଭାଇଜରିରେ କୁହାଯାଇଛି ଯେ, ସମସ୍ତ ଯବାନ ହ୍ବାଟ୍ସଆପ୍ ଆକାଉଣ୍ଟ ସେଟିଂ ତୁରନ୍ତ ବଦଳାଇ ଦିଅନ୍ତୁ। ଫଳରେ ସେମାନଙ୍କୁ କୌଣସି ପାକିସ୍ତାନୀ ଗୁଇନ୍ଦା କୌଣସି ଗ୍ରୁପରେ ଯୋଡ଼ିପାରିବେ ନାହିଁ। ନିକଟରେ ଭାରତୀୟ ସେନାର ଜଣେ ଯବାନଙ୍କ ହ୍ବାଟ୍ସଆପ୍ ନମ୍ବର ପାକିସ୍ତାନ ସହିତ ଜଡ଼ିତ ଏକ ହ୍ବାଟ୍ସଆପ୍ ଗ୍ରୁପରେ ଯୋଡ଼ି ହୋଇଯାଇଥିଲା। ବ୍ୟବହାରକାରୀଙ୍କ ଅନୁମତି ନିଆ ନ ଯାଇ ଉକ୍ତ ନମ୍ବରକୁ ଗ୍ରୁପରେ ସାମିଲ କରାଯାଇଥିଲା। ଏହା ପରେ ସେନା ଆଡ୍ଭାଇଜରି ଜାରି କରିବାକୁ ନିଷ୍ପତ୍ତି ନେଇଥିଲା।ହ୍ବାଟ୍ସଆପ୍ ବ୍ୟବହାରକାରୀ ଚାହିଁବେ ଯେ କୌଣସି ଗୃପ ଆଡ୍ମିନ ତାଙ୍କ ବିନା ଅନୁମତିରେ ତାଙ୍କୁ କୌଣସି ଗୃପ ଯୋଡ଼ିପାରିବେ ନାହିଁ, ତେବେ ବ୍ୟବହାରକାରୀଙ୍କୁ ହ୍ବାଟ୍ସଆପ୍ ଆକାଉଣ୍ଟର କିଛି ସେଟିଂ ବଦଳାଇବାକୁ ପଡ଼ିବ। ଆପ୍ଲିକେଶନକୁ ପ୍ରଥମେ ଅପ୍ଡେଟ କରିବାକୁ ହେବ। ପରେ ବ୍ୟବହାରକାରୀ ଆପ୍ଲିକେଶନ ଓପନ କରି ଆକାଉଣ୍ଟ-ପ୍ରାଇଭେସି-ଗ୍ରୁପ୍ସ(Account > Privacy > Groups) ସେଟିଂକୁ ଯାଇ ଗ୍ରୁପ ଉପରେ କ୍ଲିକ କରିବେ। ଏହା ପରେ ବ୍ୟବହାରକାରୀଙ୍କ ପାଇଁ କିଛି ବିକଳ୍ପ ରହିଥିବ। ଯେପରି କି ‘ନୋ ବଡି’, ‘ମାଇଁ କଣ୍ଟାକ୍ସସ’ ଏବଂ ‘ଏଭ୍ରିୱାନ’ (Nobody, My Contacts ଏବଂ Everyone) ବିଳଳ୍ପ ଥିବ। ସେହି ସ୍ଥାନରେ ବ୍ୟବହାରକାରୀଙ୍କୁ ‘ନୋ ବଡି(nobody)’ ବିକଳ୍ପ ଚୟନ କରିବାକୁ ପଡ଼ିବ। ଏହା ପରେ ବ୍ୟବହାରକାରୀଙ୍କ ବିନା ଅନୁମତିରେ କୌଣସି ଗ୍ରୁପ୍ର ଆଡ୍ମିନ ତାଙ୍କୁ ଗ୍ରୁପରେ ସାମିଲ କରିପାରିବେ ନାହିଁ।