ଠିକା ଡାକ୍ତରଙ୍କ ବୟସ ବଢିବ: ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ

213
ADVERTISEMENT

ଭୁବନେଶ୍ୱର, ୨୦/୬(ତଥ୍ୟ): ଏଣିକି ଅବସର ପ୍ରାପ୍ତ ଡାକ୍ତରମାନେ ୭୦ବର୍ଷ ବୟସ ପର୍ଯ୍ୟନ୍ତ ସରକାରୀ ଚିକିତ୍ସାଳୟରେ ଠିକା ଭିତ୍ତିରେ କାର୍ଯ୍ୟ କରିପାରିବେ । ପୂର୍ବରୁ ଏହି ବୟସସୀମାକୁ ସରକାର ୬୮ବର୍ଷ ଧାର୍ଯ୍ୟ କରିଥିଲେ । ଆଜି ସିଡିଏମ୍‍ଓ ସମ୍ମିଳନୀରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେବା ସହିତ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ଅବସରପ୍ରାପ୍ତ ଡାକ୍ତର ରହିଛନ୍ତି ତାହାର ତାଲିକା ଆସନ୍ତା ଜୁଲାଇ ୧୫ ତାରିଖ ମଧ୍ୟରେ ପ୍ରସ୍ତୁତ ପାଇଁ ସିଡିଏମ୍‍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମ୍ମିଳନୀରେ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସ୍ୱାସ୍ଥ୍ୟସେବା ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଜିଲ୍ଲାୱାରୀ ସମୀକ୍ଷା କରିବା ସହିତ କେଉଁଠାରେ କି ପ୍ରକାର ଆବଶ୍ୟକତା ରହିଛି ଉଲ୍ଲେଖ କରିବା ସହିତ ବିହିତ ପଦକ୍ଷେପ ନେବାକୁ ସିଡିଏମ୍‍ଓମାନଙ୍କୁ ପରାମର୍ଶ ଦେଇଛନ୍ତି ।

ରାଜ୍ୟରେ ଖାଲି ପଡିଥିବା ଡାକ୍ତର ପଦବୀ ସଂକ୍ରାନ୍ତରେ ମଧ୍ୟ ସିଡିଏମ୍‍ଓ ସମ୍ମିଳନୀରେ ସମୀକ୍ଷା କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ମଞ୍ଜୁରୀପ୍ରାପ୍ତ ମୋଟ୍‍ ୬୭୧୯ଟି ପଦବୀ ଥିବାବେଳେ ସେଥିରୁ ମାତ୍ର ୫୧୩ଟି ଖାଲିପଡିଛି । ଡାକ୍ତରଙ୍କ ସଂଖ୍ୟା କମ୍‍ ରହିଥିବାବେଳେ କେତେକ ସ୍ଥାନରେ ବିନା ଅନୁମତିରେ ଡାକ୍ତରମାନେ ଅନୁପସ୍ଥିତ ରହୁଛନ୍ତି । ଏଭଳି ଘଟଣାକୁ ଆଉ ବରାଦାସ୍ତ କରାଯିବନାହିଁ ଏବଂ ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଆଜି ଚେତାବନୀ ଦେଇ କହିଛନ୍ତି ।

ବର୍ତ୍ତମାନ ଡାକ୍ତରଖାନା ଗୁଡିକୁ ଯୋଗାଇ ଦିଆଯାଇଥିବା ଯନ୍ତ୍ରପାତି ଆଦିର ଯେଭଳି ସଠିକ୍‍ ବିନିଯୋଗ ହେବ ସେ ଦିଗରେ ଦୃଷ୍ଟି ଦେବାକୁ ସିଡିଏମ୍‍ଓମାନଙ୍କୁ କୁହାଯାଇଛି । ଦାନ ମାଝି ଘଟଣାର ଆଉ ଯେଭଳି ପୁନରାବୃତ୍ତି ନହୁଏ ତାହା ଉପରେ ସିଡିଏମ୍‍ଓ ସମ୍ମିଳନୀରେ ଗୁରୁତ୍ୱ ଦିଆଯାଇଛି । ଏଣିକି କୌଣସି ମୃତ ରୋଗୀଙ୍କୁ ଡାକ୍ତର ସାର୍ଟିଫିକେଟ ପ୍ରଦାନ ପୂର୍ବରୁ ମୃତକଙ୍କ ସମ୍ପର୍କୀୟ ଚାହିଁଲେ ସେମାନଙ୍କୁ ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ମହାପ୍ରୟାଣ ଗାଡି ଯୋଗାଣରେ ଯେଭଳି କୌଣସି ସମସ୍ୟା ନଉପୁଜେ ସେଥିପାଇଁ ସିଡିଏମ୍‍ଓମାନେ ନିଜ ସ୍ତରରେ ହ୍ୱାଟ୍‍ସଆପ୍‍ ଗ୍ରୁପ ଗଠନ ପାଇଁ ପରାମର୍ଶ ଦିଆଯାଇଛି । ଏଥିରେ ଉପଜିଲ୍ଲାପାଳ, ବିଡିଓ ଓ ତହସିଲଦାରମାନଙ୍କୁ ଯୋଡିବାପାଇଁ କୁହାଯାଇଛି ।

ସିଡିଏମ୍‍ଓ ସମ୍ମିଳନୀର ଆଜି ଅନ୍ତିମ ଦିବସ ହୋଇଥିବାବେଳେ ଜିଲ୍ଲାସ୍ତରରେ ସବୁ ଲୋକଙ୍କୁ ଯେଭଳି ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ସେଥିପାଇଁ ଜିଲ୍ଲା ଚିକିତ୍ସା ବ୍ୟବସ୍ଥାର ମୁଖ୍ୟ ସିଡିଏମ୍‍ଓମାନେ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଛନ୍ତି ।

Advertisement