ଭୁବନେଶ୍ୱର, ୨୦/୬(ଦୁନିଆ ହାଲଚାଲ) : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତି ବିରୋଧରେ ଅଭିଯୋଗ ଆଣିଥିବା କଟକର ସସ୍ମିତା ଆଚାର୍ଯ୍ୟ ନ୍ୟାୟ ପ୍ରଦାନ ଦାବି କରି ନବୀନ ନିବାସ ସାମ୍ନାରେ ଧାରଣା ଦେଇଥିଲେ। କିନ୍ତୁ ପୁଲିସ୍ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲା। ସସ୍ମିତା ପୁରୀଘାଟ ଥାନାରେ କରିଥିବା ଅଭିଯୋଗ ଅନୁସାରେ, ଅନୁଭବଙ୍କ ଭାଇ ଅନୁପ୍ରାସ ତାଙ୍କୁ ଦୀର୍ଘ ଦୁଇ ବର୍ଷ ଧରି କମେଣ୍ଟ ମାରିବା ସହ ହଇରାଣ କରି ଆସୁଥିଲେ। ଏପରିକି ଗତ ୧୨ ତାରିଖ ରାତିରେ ଏନେଇ ଗୁହାରି କରିବାକୁ ଅନୁଭବଙ୍କ ଘରକୁ ଯାଇଥିବାବେଳେ ସେଠାରେ ଅନୁଭବ ମଧ୍ୟ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଛେପ ପକାଇ ଧକ୍କା ମାରିଥିବା ସସ୍ମିତା ଅଭିଯୋଗ କରିଥିଲେ। ସସ୍ମିତାଙ୍କ ଅଭିଯୋଗ ଆଧାରରେ ପୁରୀଘାଟ ପୁଲିସ୍ ଉଭୟ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। କିନ୍ତୁ ମହିଳାଙ୍କ ସମସ୍ତ ଅଭିଯୋଗକୁ ଅନୁଭବ ଖଣ୍ଡନ କରିଥିଲେ। ଶେଷରେ ନ୍ୟାୟ ପାଇଁ ଆଜି ମହିଳା ଜଣକ ନବୀନ ନିବାସ ସାମ୍ନା ରାସ୍ତାକୁ ଆସି ଧାରଣା ଦେଇଥିଲେ।