ବନ୍ଦ ହେବ ଆସିକା ସମବାୟ ଚିନିଶିଳ୍ପ!

220
ADVERTISEMENT

ଆସିକା, ୧୮/୬(ଦୁନିଆ ହାଲଚାଲ) : ଗଞ୍ଜାମ ଜିଲ୍ଲା ଆସିକା ଠାରେ ରହିଛି ଆସିକା ସମବାୟ ଚିନିଶିଳ୍ପ। ୧୯୬୩ ମସିହାରେ ପ୍ରତିଷ୍ଠିତ ଏସିଆ ମହ‌ାଦେଶର ଏହି ପ୍ରଥମ ଚିନିଶିଳ୍ପ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ଏଠାରୁ ଉତ୍ପାଦିତ ଚିନି ଦେଶ ଓ ଦେଶ ବାହାରକୁ ରପ୍ତାନି ବି ହେଉଥିଲା। ‌ହେଲେ ବିଭିନ୍ନ କାରଣରୁ ଏହି ଚିନିଶିଳ୍ପ ବର୍ତ୍ତମାନ ଜଟିଳ ପରିସ୍ଥିତିରେ ଗତି କରୁଛି। ୧୯୯୫ ମସିହାରୁ ବର୍ତ୍ତମାନ ସୁଦ୍ଧା ୨୪ ବର୍ଷରେ ମଧ୍ୟରେ ୩୩ କୋଟି କ୍ଷତି ମୁଣ୍ଡାଇସାରିଲାଣି। ସରକାର ନିରବଦ୍ରଷ୍ଟା ସାଜିଛନ୍ତି। ଉତ୍ପାଦନ ବଢୁନି, ଚିନି ବିକ୍ରି ହୋଇପାରୁନାହିଁ। ଆଖୁ ଚାଷୀଙ୍କୁ ସେମାନଙ୍କ ଉଚିତ୍ ପ୍ରାପ୍ୟ ମଧ୍ୟ ମିଳିପାରୁନି। ଉଦବେଗର ବି‌ଷୟ ହେଉଛି, ଚିନିଶିଳ୍ପ କର୍ତ୍ତୃପକ୍ଷ ବର୍ତ୍ତମାନ ନିଜ ଇଚ୍ଛାରେ ଚିନି ବିକ୍ରି କରିପାରୁନାହାନ୍ତି। କାରଣ କେନ୍ଦ୍ରୀୟ ଚିନି ଉତ୍ପାଦନ ନିର୍ଦ୍ଦେଶକ ନୂଆଦିଲ୍ଲୀଙ୍କ ବିନା ନିର୍ଦ୍ଦେଶରେ ଚିନି ବିକ୍ରି କରାଯାଇପାରିବ ନାହିଁ। ଧାର୍ଯ୍ୟ ମାସିକା କୋଟା ଅନୁସାରେ ଚିନି ବିକା ଯିବ। ଫଳରେ ନିର୍ଦ୍ଦେଶ ମିଳୁ ନଥିବାରୁ ବର୍ତ୍ତମାନ ଗୋଦାମରେ ଉତ୍ପାଦିତ ଚିନି ସେମିତି ପଡ଼ି ରହି ନଷ୍ଟ ହେଉଛି। ଯଦ୍ବାରା ଠିକ ସମୟରେ ଟଙ୍କା ମିଳୁ ନଥିବା ସହ ଋଣ ପରିଶୋଧ ହୋଇପାରୁନାହିଁ କି ଚାଷୀଙ୍କୁ ପ୍ରାପ୍ୟ ପ୍ରଦାନ କରିବା ଅସମ୍ଭବ ବ୍ୟାପାର ପାଲଟିଛି।ଅନ୍ୟପକ୍ଷରେ ତରଳ ଗୁଡ଼ (ମୋଲାସେସ)କୁ ବ୍ୟବହାର କରି ମଦ ତିଆରି ହୁଏ। ‌ହେଲେ ମୋଲାସେସରୁ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ଡିଷ୍ଟିଲାରୀକୁ ୨୦୧୨ ମସିହାରୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡର ନିର୍ଦ୍ଦେଶ ଅନୁସାରେ ବନ୍ଦ କରିଦିଆ ଯାଇଛି। ଫଳରେ ମୋଲାସେସକୁ ବିକ୍ରି କରି ବାହାରୁ ସ୍ପିରିଟ୍ କିଣି ମଦ ପ୍ରସ୍ତୁତ ହେଉଛି। ଯାହାକି ବର୍ତ୍ତମାନ ଚିନିଶିଳ୍ପର ଏକ ମାତ୍ର ଆୟର ପନ୍ଥା ପାଲଟିଛି। ସ୍ଥିତି ନ ସୁଧୁରିଲେ, ହଜାର ହଜାର ଚାଷୀ ଓ କର୍ମଚାରୀ ଜୀବିକା ହରାଇପାରନ୍ତି।

Advertisement