ନୂଆଦିଲ୍ଲୀ, ୧୮/୬(ଡି.ଏଚ.ବି): ଆଗାମୀ ୨୦୨୭ସୁଦ୍ଧା ଭାରତର ଜନସଂଖ୍ୟା ଚୀନକୁ ଟପିଯିବ ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି | ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ, ୨୦୫୦ସୁଦ୍ଧା ଭାରତର ଜନସଂଖ୍ୟାରେ ୨୭କୋଟି ବୃଦ୍ଧି ହୋଇପାରେ | ଏହାସହ ଭାରତ ଦୁନିଆର ସବୁଠାରୁ ଅଧିକ ଜନସଂଖ୍ୟାବିଶିଷ୍ଟ ଦେଶ ଭାବେ ପରିଗଣିତ ହେବ |
ସଂଯୁକ୍ତ ରାଷ୍ଟ୍ରର ଆର୍ଥିକ ଓ ସାମାଜିକ ମାମଲା ବିଭାଗ ପକ୍ଷରୁ ‘ଦି ୱାର୍ଲଡ ପପୁଲେସନ ପ୍ରସପେକ୍ଟସ- ୨୦୧୯’ ରିପୋର୍ଟ ପ୍ରକାଶ ପାଇଛି | ଏଥିରେ ଆଗାମୀ ୩୦ବର୍ଷ ଭିତରେ କାହାର କେତେ ଜନସଂଖ୍ୟା ବୃଦ୍ଧି ଘଟିବ ତାହା ଦର୍ଶାଯାଇଛି | ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ୱର ଜନସଂଖ୍ୟା ଏ ଶତାବ୍ଦୀର ଶେଷ ଆଡକୁ ହିଁ ସର୍ବାଧିକ ସ୍ତରରେ ପହଞ୍ଚିଯିବ |

ଆକଳନ କରାଯାଇଛି ଯେ, ୨୦୫୦ ସୁଦ୍ଧା ୯ଟି ଦେଶର ଜନସଂଖ୍ୟା ସବୁଠୁ ଅଧିକ ବଢିବ | ଏସବୁ ଦେଶମାନେ ହେଲେ ଭାରତ, ନାଇଜେରିଆ, ପାକିସ୍ତାନ, କଙ୍ଗୋ, ଇଥିଓପିଆ, ତାଞ୍ଜାନିଆ, ଇଣ୍ଡୋନେସିଆ, ମିଶର ଓ ଆମେରିକା | ତେବେ, ଏହି ତାଲିକାରେ ଚୀନର ଜନସଂଖ୍ୟା ସେତେଟା ବଢିବ ନାହିଁ ବୋଲି ଦର୍ଶାଯାଇଛି |