ପାବନ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉମାନଙ୍କ ମହାସ୍ନାନ ଓ ଗଜାନନ ବେଶ

302
ADVERTISEMENT

ହିଞ୍ଜିଳିକାଟୁ, ୧୮/୬(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଞ୍ଚଳ ବଇଁଚବଣିଆସ୍ଥିତ ପାବନଶ୍ରୀକ୍ଷେତ୍ର ଶ୍ରୀ ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉ ମାନଙ୍କ ମହାସ୍ନାନ ଉତ୍ସବ ଆନନ୍ଦ ଉତ୍ସାହର ସହ ଅନୁଷ୍ଠିତ ହୋଇଯାଇଛି । ଭୋର ୪ଟା ୩୦ମିନିଟରେ ଶ୍ରୀଜୀଉମାନଙ୍କ ମଙ୍ଗଳ ଆରତି କରାଯାଇ ବଲ୍ଲଭଭୋଗ, ଅବକାଶ ଓ ଅନ୍ୟାନ୍ୟ ନିତ୍ୟ ସେବା ଆରମ୍ଭ କରାଯାଇଥିଲା । ଦିନ ୧୦ଟାରେ ଶ୍ରୀଜୀଉମାନେ ରତ୍ନ ସିଂହାସନରୁ ସ୍ନାନମଣ୍ଡପ ପହଣ୍ଡି ପାଇଁ ଓହ୍ଲାଇଥିଲେ । ମନ୍ଦିରର ସେବାଧିପତି ଲିଙ୍ଗରାଜ ସାହୁ ମଙ୍ଗଳାର୍ପଣ କରିଥିଲେ । ମନ୍ଦିରର ପାଟ ପୁରୋହିତ ପଣ୍ଡିତ ଗତିକୃଷ୍ଣ ମିଶ୍ର ଶର୍ମା ଓ ସହାୟକ ପଣ୍ଡିତ ରଞ୍ଜିତ ଦାଶ ଶର୍ମା ବୈଦିକ ରୀତିରେ ଶ୍ରୀଜୀଉମାନଙ୍କ ସମସ୍ତ ପୂଜାନୀତି କରାଇଥିଲେ ।

ସାଢେ ୧୦ଟାରେ ଧାଡ଼ି ପହଣ୍ଡିରେ ବିଭିନ୍ନ ବାଦ୍ୟ ବାଜଣା, ଶଙ୍ଖଧ୍ୱନି, ହୁଳହୁଳି, ଛତ୍ର ତଥା ଆଲଟ-ଚାମର ସହ ଶ୍ରୀ ସୁଦର୍ଶନ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ସ୍ନାନ ମଣ୍ଡପରେ ବିଜେ କରାଯାଇଥିଲା । ଏଠାରେ ସମୁଦ୍ର ଓ ବିଭିନ୍ନ ପବିତ୍ର ନଦୀଜଳ ସମ୍ମିଶ୍ରଣରେ ଗଠିତ ଶ୍ରୀମନ୍ଦିରସ୍ଥ ସୁନାକୂଅରୁ ସଂଗୃହୀତ ୧୦୮କୁମ୍ଭ ଜଳରେ ବିଭିନ୍ନ ପ୍ରକାର ସୁବାସିତ ଦ୍ରବ୍ୟ ଓ ମହୋଷଧି ମିଶ୍ରଣ ପୂର୍ବକ ସ୍ନାନ ଜଳରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କୁ ୩୩, ଶ୍ରୀ ଜଗନ୍ନାଥଙ୍କୁ ୩୫, ଶ୍ରୀ ସୁଭଦ୍ରାଙ୍କୁ ୨୨ ଓ ଶ୍ରୀ ସୁଦର୍ଶନଙ୍କୁ ଯଥାକ୍ରମେ ୧୮କୁମ୍ଭ ଜଳରେ ମହାସ୍ନାନ କରାଯାଇଥିଲା ।

ପରେ ପରେ ଶ୍ରୀଜୀଉଙ୍କୁ ମୁଖ୍ୟ ପୂଜକ ପଣ୍ଡିତ କୃଷ୍ଣଚନ୍ଦ୍ର ପଣ୍ଡା ଓ ତାଙ୍କ ସହାୟକ ସରୋଜ ନନ୍ଦ, ଉମାଶଙ୍କର ପଣ୍ଡା ଓ ଅନ୍ୟାନ୍ୟ ସେବାୟତମାନଙ୍କ ସହାୟତାରେ ଠାକୁରମାନଙ୍କୁ ସୁନ୍ଦର ଗଜାନନ ବେଶରେ ସୁ-ସଜ୍ଜିତ କରାଯାଇଥିଲା । ବିହିତ ପୂଜାର୍ଚ୍ଚନା ଓ କର୍ପୂର ଆଳତି ପରେ ସମବେତ ଅଗଣିତ ଭକ୍ତଗଣ ଶ୍ରୀଜୀଉ ମାନଙ୍କୁ ଅନ୍ନବ୍ୟଞ୍ଜନ ସମର୍ପଣ ଧୂପ ଉଠିଥିଲା । ସାନ୍ଧ୍ୟଆଳତି ଦର୍ଶନ ପାଇଁ ପ୍ରବଳ ଭିଡ଼ ଅନୁଭୂତ ହୋଇଥିଲା । ସ୍ନାନ ପୂର୍ଣ୍ଣିମା ଯୋଗୁଁ ଶ୍ରୀମନ୍ଦିରରେ ଗହଳଚହଳ ପ୍ରତ୍ୟୁଷରୁ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା । ରାତି ୯ଟାରେ ଶ୍ରୀ ବିଗ୍ରହମାନଙ୍କୁ ବିଧିି ଅନୁଯାୟୀ ଗୁପ୍ତ ଅଣସର ଗର୍ଭଗୃହକୁ ପହଣ୍ଡି କରାଯାଇଥିଲା । ଶ୍ରୀବିଗ୍ରହ ମାନେ ଅଣବସରରେ ଗୁପ୍ତ ସେବାରେ ରହିବେ ଓ ଦର୍ଶନ ଦେବେ ନାହିଁ । ତେଣୁ ମନ୍ଦିରରେ ଆସନ୍ତାକାଲି ଠାରୁ ପଣିଦିଅଁ ଓ ଅଲାରନାଥଙ୍କ ପୂଜାର୍ଚ୍ଚନା କରାଯିବ ।

ଏହି ଉତ୍ସବକୁ ପ୍ରଶାସନ ତରଫରୁ ସେବକ ନିର୍ମଳ ମିଶ୍ର, ସେବାଧିପତି ଲିଙ୍ଗରାଜ ସାହୁ, କାର୍ଯ୍ୟକାରୀଣି ସଭାପତି ସେବକ ଜଗନ୍ନାଥ ସାହୁ, ସମ୍ପାଦକ ସେବକ ଲୋକନାଥ ସାହୁ, ହରିହର ପଣ୍ଡା, ମନମୋହନ ପାଢି, ପ୍ୟାରୀମୋହନ ପାଢ଼ୀ, ଯୁଗଳ ପଣ୍ଡା, ମନୋଜ ପାଢ଼ୀ, ଜଗନ୍ନାଥ ସାହୁ, ଉମାଚରଣ ପଣ୍ଡା, ସରୋଜ ନନ୍ଦ, ଶିଶିର ପଣ୍ଡା, ଦେବ ପ୍ରସାଦ ପଣ୍ଡା, ବିଶୁ ସାହୁ, ଅଶୋକ ସାମନ୍ତରା, ସୁଦର୍ଶନ ପାଣିଗ୍ରାହୀ, ଉପେନ୍ଦ୍ର ପାତ୍ର, ସୁବାଷ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Advertisement