ପୁରୀ, ୧୬/୬ (ଡିଏଚବି): ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା ସହ ମହାପ୍ରଭୁଙ୍କ ହାତୀବେଶ ଅନୁଷ୍ଠିତ ହେବ। ଏହାକୁ ଦେଖିବା ଲାଗି ପୁରୀରେ ଭକ୍ତଙ୍କ ପ୍ରବଳ ସମାଗମ ହେବ। ତେବେ, ଭିଡ଼, ସୁରକ୍ଷା ବ୍ୟବସ୍ଥା ଏବଂ ଟ୍ରାଫିକ ନିୟନ୍ତ୍ରଣ ଲାଗି ପୁରୀ ସହରରେ ମୋଟ ୪୪ ପ୍ଲାଟୁନ ଫୋର୍ସ ମୁତୟନରବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ୨୫ ପ୍ଲାଟୁନ ଫୋର୍ସ କେବଳ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ରହିବେ।
କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନାନୁସାରେ, ଶ୍ରୀମନ୍ଦିରରେ ୨ଜଣ କମାଣ୍ଡାଣ୍ଟ, ୮ଜଣ ଡେପୁଟି କମାଣ୍ଡାଣ୍ଟ ଏବଂ ୧୧ଜଣ ଅତିରିକ୍ତ ଏସ୍ପି ଓ ଡିଏସ୍ପି, ୨୯ଜଣ ଇନ୍ସପେକ୍ଟର ଏବଂ ସବ୍ଇନ୍ସପେକ୍ଟର, ୧୨୨ଜଣ ଏଏସ୍ଆଇ ଓ ଏସ୍ଆଇ, ୧୨ଜଣ ହାବିଲଦାର, ୧୩୩ଜଣ କନଷ୍ଟେବଳ, ୪ଜଣ ଟ୍ରାଫିକ କନଷ୍ଟେବଳ ତଥା ୧୦୮ଜଣ ହୋମ୍ଗାର୍ଡ ମୁତୟନ ରହିବେ। ଶ୍ରୀମନ୍ଦିର ଭିତରେ ଜଣେ ଲେଖାଏଁ ଏସ୍ଆଇ ଏବଂ ଏଏସ୍ଆଇଙ୍କ ସମେତ ଗୋଟିଏ ପ୍ଲାଟୁନ ଫୋର୍ସ ବି ମୁତୟନ ରହିବେ। ଶ୍ରୀମନ୍ଦିର ଆସିଷ୍ଟାଣ୍ଟ କମାଣ୍ଡାଣ୍ଟଙ୍କ ଅଧୀନରେ ଏହିମାନେ କାର୍ଯ୍ୟ କରିବେ। ଏଥିସହିତ ୩ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ ମନ୍ଦିର ଫାଣ୍ଡି, ଟାଉନ ଥାନା ଏବଂ କୁମ୍ଭାରପଡ଼ା ଥାନାରେ ମୁତୟନ ରହିବେ ବୋଲି ଆଇଜି ସୂଚନା ଦେଇଛନ୍ତି।