ପ୍ରସ୍ତୁତ ହେଲା ନୂତନ ଭାରତର ରୋଡ୍‌ମ୍ୟାପ୍‌

267
ADVERTISEMENT

ନୂଆଦିଲ୍ଲୀ, ୧୫/୬(ଡି.ଏଚ.ବି): ଆଜି ଅନୁଷ୍ଠିତ ନୀତି ଆୟୋଗ ବୈଠକରେ ପ୍ରସ୍ତୁତ ହୋଇଛି ନ୍ୟୁ- ଇଣ୍ଡିଆର ରୋଡ୍‌ମ୍ୟାପ୍‌ । ୨୦୨୪ ଭିତରେ ଭାରତର ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବା ନିମନ୍ତେ ଏଥିରେ ଲକ୍ଷ୍ୟ ରଖାଯାଇଛି । ତେବେ, ଏହି ଲକ୍ଷ୍ୟ କଷ୍ଟକର ହେଲେ ମଧ୍ୟ ଅସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ନୀତି ଆୟୋଗର ପଞ୍ଚମ ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେଇଥିଲେ । ନୀତି ଆୟୋଗ ପ୍ରଶାସନିକ ପରିଷଦର ବୈଠକକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଦେଶରେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ରାଜ୍ୟମାନେ ଜିଲ୍ଲା ସ୍ତରରୁ ହିଁ ବିକାଶ ଆରମ୍ଭ କରିବା ଆବଶ୍ୟକ । ସବ୍‌କା ସାଥ୍‌- ସବ୍‌କା ବିକାଶ -ସବ୍‌କା ବିଶ୍ବାସ ମନ୍ତ୍ରକୁ ପୂରା କରିବାକୁ ନୀତି ଆୟୋଗର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ସେ କହିଛନ୍ତି ଯେ, ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଛି ତାହାକୁ ହାସଲ କରିବାକୁ ଆମକୁ ଫଳଚାଷ, ପନିପରିବା ଚାଷ ଆଦି ବିବିଧ ଚାଷ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଆୟ ଏବଂ ରୋଜଗାର ବଢ଼ାଇବାକୁ ଏକ୍ସପୋର୍ଟ କ୍ଷେତ୍ରକୁ ଗୁରୁତ୍ବ ଦେବାକୁ ପଡ଼ିବ । ରାଜ୍ୟଗୁଡ଼ିକୁ ଏଥି ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । ରାଜ୍ୟଗୁଡ଼ିକୁ ନିଜର ଆର୍ଥିକ କ୍ଷମତା ବୁଝିବାକୁ ଆଉ ଜିଡିପି ଟାର୍ଗେଟ୍‌ ବଢ଼ାଇକୁ ଜୋର୍‌ ଦେବାକୁ ପଡ଼ିବ । ଏଥି ସହ ଗଭର୍ଣ୍ଣିଂ କାଉନସିଲ୍‌ ସଦସ୍ୟମାନଙ୍କୁ ସେ ଅପିଲ୍‌ କରିଥିଲେ ଯେ, ସେମାନେ ଏମିତି ସରକାରୀ ବ୍ୟବସ୍ଥା ପ୍ରସ୍ତୁତ କରିବା ଦରକାର ଯାହା ଲୋକଙ୍କ ପାଇଁ ଠିକ୍‌ ଢ଼ଙ୍ଗରେ କାମ କରିବ ଆଉ ଲୋକଙ୍କ ବିଶ୍ବାସ ହାସଲ କରିପାରିବ ।

ଏହି ବୈଠକରେ ଯୋଗଦେଇଥିବା ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଫୋକସ୍‌ ଷ୍ଟେଟ୍‌ର ମାନ୍ୟତା ଏବଂ ଫୋନି ଜନିତ କ୍ଷୟକ୍ଷତିର ସହାୟତା ପାଇଁ ଦାବି କରିଛନ୍ତି ।

Advertisement