ବଲାଙ୍ଗୀର,୧୨-୦୫(ଦେବବ୍ରତ ଗୁରୁ):ତୁଷୁରା ସହରରେ ଲକ୍ଡାଉନ୍ ଚାଲିଥିବାରୁ ସହର ସୀମାରେ ସିଲ୍ କରାଯାଇଥିଲା । ଏଠାରେ ଥିବା ଅସ୍ଥାୟୀ ଗେଟ୍ରେ ପୋଲିସ ଅଟକାଇବାରୁ ପୋଲିସ ନିକଟରେ ସେମାନେ ଏହି ଦୁଃଖର କାହାଣୀ ବର୍ଣ୍ଣନା କରିଥିଲେ। ଉକ୍ତ ଯୁବକମାନେ କଣ୍ଟାମାଳ ଥାନା ଅନ୍ତର୍ଗତ ଆମ୍ବଗାଁ ଗ୍ରାମର ଯୁବକ ବୋଲି ଜଣାପଡ଼ିଛି ।
ଏମାନେ ଗତ ମେ ୨ରୁ ମୁମ୍ବାଇରୁ ୫ଟି ସାଇକେଲରେ ନିଜ ଗାଁକୁ ବାହରିଥିଲେ । ବାଟରେ ଆସୁଥିବା ବେଳେ ଖିଆ ପିଆରେ ପାଖରୁ ପଇସା ସରିଯାଇଥିଲା । ଖାଇବା ପାଇଁ ଅସୁବିଧା ହେବାରୁ ଦୁଇଟି ସାଇକେଲ କମ୍ ଦରରେ ବିକ୍ରି କରି ଯାହା ଟଙ୍କା ମିଳିଲା ସେଥିରେ ଖିଆପିଆ କରିଥିଲେ । ଆଉ ତିନୋଟି ସାଇକେଲରେ ସେମାନେ ନିଜ ଗାଁ ଅଭିମୁଖେ ବାହାରିଥିବା ଏହି ଯୁବକମାନେ ପ୍ରକାଶ କରିଛନ୍ତି। ଏପରିକି ତୁଷୁରା ଅସ୍ଥାୟୀ ଗେଟ୍ରେ ଥିବା ପୋଲିସ ଏମାନଙ୍କ ଦୁଃଖ ସହି ନପାରି ଏଏସ୍ଆଇ ଯୁବରାଜ କୁମ୍ଭାର ଓ ନବୀନ ମିଶ୍ର ଉକ୍ତ ଯୁବକମାନଙ୍କୁ ମୁଢ଼ି, ମିକ୍ସଚର ଓ ପିଇବା ପାଣି ଦେଇ ମାନବିକତାର ପରିଚୟ ଦେଇଛନ୍ତି ।