ବ୍ରହ୍ମପୁର,୩।୧୨:(ଡି.ଏଚ/ହିମାଂଶୁ ପାଢ଼ୀ ) : ନିଜେ ନିଜେ ପଢ଼ିବେ, ନିଜେ ନିଜେ ପ୍ରଶ୍ନୋତ୍ତର ମୂଲ୍ୟାୟନ କରିବେ । ଯଦି ଶ୍ରେଣୀ କକ୍ଷରେ ଶିକ୍ଷକ ପଢ଼ାଇଥିବା କୌଣସି ବିଷୟ ବୁଝିହେଉନି ତେବେ ମଧୁ ଆପ୍ ଜରିଆରେ ମୋବାଇଲ୍ ବ୍ୟବହାର କରି ସମ୍ପୃକ୍ତ ବିଷୟକୁ ପୁଣି ଥରେ ପଢି଼ପାରିବେ ଛାତ୍ରଛାତ୍ରୀ । ଅର୍ଥାତ୍ ଅଭିଜ୍ଞ ଶିକ୍ଷକ ଉକ୍ତ ବିଷୟ ବା ଉକ୍ତ ଚାପ୍ଟର୍କୁ ପୁଣି ଥରେ ଯେମିତି ଶ୍ରେଣୀ କକ୍ଷରେ ପଢ଼ାଉଛନ୍ତି ସେହି ଅନୁଭୂତି ସହ ଅଧ୍ୟୟନ କରିପାରିବେ ବିଦ୍ୟାର୍ଥୀ । ତା ସହ ଚାପ୍ଟର୍ ଶେଷରେ ମଡେଲ୍ ପ୍ରଶ୍ନୋତ୍ତର ଅଭ୍ୟାସର ମଧ୍ୟ ସୁବିଧା ରହିଛି । ନିଜେ ପ୍ରଶ୍ନ ପଢି଼ ତାହାର ଉତ୍ତର ଲେଖି ତାହା କେତେଦୂର ଠିକ୍ ବା ଭୁଲ, କେତେ ମାର୍କ ଆସିପାରିବ ତାହା ମଧ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ଏଭଳି ଏକ ବୈଷୟିକ ପ୍ରଯୁକ୍ତି ବିଦ୍ୟା କୌଶଳ ‘ମଧୁ ଆପ୍’କୁ ପ୍ରସ୍ତୁତ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ବିଭାଗ । ମଙ୍ଗଳବାର ଏହି ଆପ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଜିଲ୍ଲା ସଦର ମହକୁମାର ଛତ୍ରପୁର ଠାରେ ଓସ୍ୱାନ୍ ସମ୍ମିଳନୀ କକ୍ଷରେ ଭିଡିଓ କନ୍ଫେରେନ୍ସ ଜରିଆରେ ଉଦ୍ଘାଟିତ ହେବ । ରାଜ୍ୟରେ ଏହା ପ୍ରଥମ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଡ. ସନାତନ ପଣ୍ଡା । ରାଜ୍ୟର ବିଶିଷ୍ଟ ମହାପୁରୁଷ କୁଳବୃଦ୍ଧ ମଧୁସୂଦନ ଦାସଙ୍କ ନାମରେ ଏହି ଆପ୍ର ନାମକରଣ କରାଯାଇଛି ।
ଡିଇଓ ଡ. ପଣ୍ଡାଙ୍କ କହିବା ମୁତାବକ- ମଧୁ ଆପ୍ ପ୍ରଥମ କରି ବିକଶିତ କରାଯାଇଥିବା ଏଭଳି ଏକ ପ୍ରଯୁକ୍ତି ବିଦ୍ୟାକୌଶଳ ଯାହା ସିଲାବସ୍ ଆଧାରିତ ଇ-ଲର୍ଣ୍ଣିଂ ସୁବିଧା ଛାତ୍ରଛାତ୍ରୀଙ୍କୁ ଯୋଗାଇଦେବ । ମାତୃଭାଷା ଆଧାରିତ ଭର୍ଚୁଆଲ୍ କ୍ଲାସ୍- ରୁମ୍ ଅନୁଭୂତି ପାଇପାରିବେ ବିଦ୍ୟାର୍ଥୀ । ଅନ୍ୟ ଅର୍ଥରେ ଛାତ୍ରଛାତ୍ରୀମାନଙ୍କ ହାତରେ କ୍ଲାସ୍ରୁମ୍ ଇନ୍ ମୋବାଇଲ୍ ସୁବିଧା ବୋଲି କହିହେବ । ପଢ଼ା ବହିରେ ଥିବା ପାଠ୍ୟବିଷୟର ଶିକ୍ଷାଦାନ ଅଭିଜ୍ଞ ଶିକ୍ଷକଙ୍କ ଦ୍ୱାରା ରେକର୍ଡିଂ କରାଯାଇଛି । ଏଥିସହ ଅଭ୍ୟାସ ପ୍ରଶ୍ନ ଓ ତାହାର ଉତ୍ତର ମଧ୍ୟ ଚାପ୍ଟର୍ ଓ ବିଷୟ ଅନୁସାରେ ରହିବ । ଛାତ୍ରଛାତ୍ରୀମାନେ ଗୁଗଲ୍ ପ୍ଲେ-ଷ୍ଟୋର୍କୁ ଯାଇ ଏହି ଆପ୍ ଡାଉନ୍ଲୋଡ୍ କରିପାରିବେ । ବିଦ୍ୟାର୍ଥୀମାନେ ଏକ କିମ୍ବା ଏକାଧିକ କ୍ଲାସ୍ରେ ପଞ୍ଜୀକରଣ କରି ବହି ପାଠକୁ ଡିଜିଟାଲ୍ ପଦ୍ଧତିରେ ପଢି଼ପାରିବେ । ନିଜେ ଶିକ୍ଷକ ସାଜି ପ୍ରଶ୍ନୋତ୍ତରର ମୂଲ୍ୟାୟନ ବି କରିପାରିବେ ଛାତ୍ରଛାତ୍ରୀ ।
ଏବେ ଅଧିକ ପଢ଼ା ପାଇଁ କିଛି ଛାତ୍ରଛାତ୍ରୀ ଟ୍ୟୁସନ୍ ଯାଉଛନ୍ତି । ଆଉ ସେମାନଙ୍କୁ ତାହା ଦରକାର ପଡ଼ିବନି । ଘରେ ବସି ଏହି ଆପ୍ ଜରିଆରେ ନିଜ ଦକ୍ଷତା ବୃଦ୍ଧି କରିପାରିବେ । ଏହି ଅଭିନବ ପଦକ୍ଷେପ କାର୍ଯ୍ୟକାରୀ ପାଇଁ ଗତ ୬ ମାସ ହେଲା ପ୍ରୟାସ କରି ଆସୁଥିଲା ଜିଲ୍ଲା ଶିକ୍ଷା ପ୍ରଶାସନ । ସରକାରୀ ସ୍କୁଲ ଟିଚର୍ଙ୍କୁ ନେଇ ପ୍ରଥମ କରି ରାଜ୍ୟରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୫ମ, ୬ଷ୍ଠ, ୭ମ, ୮ମ ଓ ୧୦ମ ଶ୍ରେଣୀର ଗଣିତ ଓ ବିଜ୍ଞାନ ପାଠ୍ୟକ୍ରମ ଅପ୍ଲୋଡ୍ ହୋଇଛି । ପରବର୍ତ୍ତୀ ସମୟରେ ଅନ୍ୟ ବିଷୟ ସମେତ ୯ମ ଶ୍ରେଣୀର ବିଷୟ ମଧ୍ୟ ଅପ୍ଲୋଡ୍ ହେବ ବୋଲି କହିଛନ୍ତି ଡିଇଓ ଡ. ପଣ୍ଡା । ସେ ଆହୁରି କହିଛନ୍ତି ଯେ- ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ‘ଡ୍ରିମ୍’ ପରୀକ୍ଷା ୪ ସେଟ୍ ମଡେଲ୍ ପ୍ରଶ୍ନପତ୍ର ଓ ଉତ୍ତର ମଧ୍ୟ ଅପ୍ଲୋଡ୍ ହୋଇଛି ଯାହାକୁ ଆସନ୍ତା ବର୍ଷ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ କାମରେ ଲଗାଇପାରିବେ ।